ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶରେ ବେକାରି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦରଦାମ ଆକାଶଛୁଆଁ ହୋଇଛି। ଏହାର ପ୍ରତିବାଦରେ ସୋମବାର ଦିଲ୍ଲୀର ଯନ୍ତରମନ୍ତର ଠାରେ ଭାରତୀୟ କିଷାନ ୟୁନିୟନ (ବିକେୟୁ) ପକ୍ଷରୁ କୃଷକଙ୍କ ବିଶାଳ ମହାପଞ୍ଚାୟତ ପାଇଁ ଆହ୍ବାନ ଦିଆଯାଇଥିଲା। ଏହାପରେ ବିଭିନ୍ନ ରାଜ୍ୟର ଚାଷୀ ସଙ୍ଗଠନ ମହାପଞ୍ଚାୟତରେ ସାମିଲ ହୋବାକୁ ଦିଲ୍ଲୀ ଆସୁଛନ୍ତି। ଏନେଇ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଇତିମଧ୍ୟରେ ଦିଲ୍ଲୀ ଓ ଉତ୍ତରପ୍ରଦେଶକୁ ସଂଯୋଗ କରୁଥିବା ଗାଜିପୁର ସୀମାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି। ପୋଲିସ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାରିକେଡ୍‌ ଲଗାଇ ଦିଲ୍ଲୀ-ହରିୟାଣା ସୀମାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅନ୍ୟପକ୍ଷେ ଆନ୍ଦୋଳନକାରୀ ଯନ୍ତରମନ୍ତରରେ ପୋଲିସ ଲଗାଇଥିବା ବ୍ୟାରିକେଡ୍‌କୁ ଭାଙ୍ଗି ଦେଇଥିବା ସୂଚନା ମିଳିଛି।

ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ ଯୋଗୁ ଦିଲ୍ଲୀ-ଗାଜିପୁର ସୀମାରେ ୩ କିଲୋମିଟର ଲମ୍ବା ଟ୍ରାଫିକ ଜାମ୍‌ ଦେଖିବାକୁ ମିଳିଥିଲା। ଏପରିକି ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ଅନେକ ସ୍ଥାନରେ ଚାଷୀଙ୍କୁ ଅଟକାଇବା ପାଇଁ ରାସ୍ତାରେ କଂକ୍ରିଟ ସ୍ଲାବ୍‌ ଲଗାଯାଇଛି। ଅନ୍ୟପକ୍ଷେ ପଞ୍ଜାବରୁ କୃଷକମାନେ ଆସୁଥିବା ଏକ ବସ୍‌କୁ ପୋଲିସ ଅଟକ ରଖିଛି। ଏହାର ପ୍ରତିବାଦରେ କୃଷକମାନେ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି।