
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ଭାଜପା ନେତା ଶାହନୱାଜ ହୁସେନଙ୍କୁ ତାଙ୍କ ବିରୋଧରେ ଆସିଥିବା ୨୦୧୮ ବଳାତ୍କାର ମାମଲାରେ ଅପରାଧିକ ଅଭିଯୋଗ ମାମଲାରେ ସୁପ୍ରିମକୋର୍ଟରେ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ଏହି ମାମଲାରେ ଶାହାନଓ୍ବାଜଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରା ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି।ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ତୃତୀୟ ସପ୍ତାହରେ ଅନୁଷ୍ଠିତ ହେବ। ସୁଚନା ଅନୁସାରେ ଅଗଷ୍ଟ ୧୮ ରେ, ଦିଲ୍ଲୀ ହାଇକୋର୍ଟ ବଳାତ୍କାର ମାମଲାରେ ଭାଜପା ନେତା ଶାହନୱାଜ ହୁସେନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତିନି ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ କୋର୍ଟ କହିଥିଲେ।
ଜଣେ ମହିଳା ଶାହନୱାଜଙ୍କ ବିରୋଧରେ ଜୁନ ୨୦୧୮ ରେ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ଶାହନୱାଜ ତାଙ୍କୁ ଏପ୍ରିଲ ୨୦୧୮ ରେ ତାଙ୍କ ଛତ୍ରପୁର ଫାର୍ମହାଉସକୁ ଡାକିଥିଲେ ଏବଂ ତାଙ୍କୁ ଥଣ୍ଡା ପାନୀୟରେ କିଛି ନିଶା ପଦାର୍ଥ ମିଶାଇ ଦେଇଥିଲେ। ଏହା ପରେ ତାଙ୍କୁ ବଳାତ୍କାର କରାଯାଇଥିଲା।
ଶାହନୱାଜଙ୍କ ଆଇନଜୀବୀ ସିଦ୍ଧାର୍ଥ ଲୁଥ୍ରା କହିଛନ୍ତି ଯେ ଅଭିଯୋଗକାରିଣୀ ଏବଂ ଶାହନୱାଜଙ୍କ ଭାଇଙ୍କ ମଧ୍ୟରେ କିଛି ବିବାଦ ଥିବାରୁ ଏଥିରେ ତାଙ୍କୁ ଅଯଥା ସମ୍ପୃକ୍ତ କରାଯାଇଛି। ତେଣୁ ତାଙ୍କ ବିରୋଧରେ ଏଫଆଇଆର ଦାଖଲ କରିବା ସମ୍ପୂର୍ଣ୍ଣ ଭୁଲ। ଏହି ବିବାଦ ଭିତରକୁ ଶାହନମ୍ୱାଜଙ୍କୁ ମଧ୍ୟ ଟାଣି ନିଆଯାଉଥିବା ସେ କହିଥିଲେ। ଆଇନଜୀବୀ କହିଥିଲେ ଭାଜପା ନେତାଙ୍କ ବିରୋଧରେ ଏଫଆଇଆର ଦାଖଲ କରିବାକୁ ଟ୍ରାଏଲ କୋର୍ଟ ଦେଇଥିବା ନିଷ୍ପତ୍ତି ପଛରେ କୌଣସି ସ୍ପଷ୍ଟ କାରଣ ମଧ୍ୟ ଦିଆଯାଇ ନାହିଁ। ଅଭିଯୋଗକାରିଣୀଙ୍କ ଅଭିଯୋଗକୁ ପ୍ରମାଣିତ କରିବା ପାଇଁ ପୋଲିସ ମଧ୍ୟ କୌଣସି ପ୍ରମୂଖ ପ୍ରମାଣ ପାଇନାହିଁ ବୋଲି ସେ ଯୁକ୍ତି ଦର୍ଶାଇଥିଲେ।