ଭୁବନେଶ୍ୱର : ସଫ୍ଟୱେର ଇଞ୍ଜିନିୟର ଶ୍ବେତା ଉତ୍କଳ କୁମାରୀଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ରହସ୍ୟ । ମୃତ୍ୟୁ ର କାରଣ ଖୋଜୁଛି ପୋଲିସ । ସେପଟେ ବୟଫ୍ରେଣ୍ଡ ସୌମ୍ୟଜିତଙ୍କ କାର୍ଯ୍ୟ ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥିବା ଶ୍ବେତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ମଧ୍ୟ ଏତଲା ଦେଇଛନ୍ତି।

ସେପଟେ ଏକ ଫୋନ ବାର୍ତ୍ତାଳୟ ସାମ୍ନାକୁ ଆସିଛି। ଏହି ଫୋନ ବାର୍ତ୍ତାଳପ ଶ୍ବେତା ଏବଂ ସୌମ୍ୟଜିତଙ୍କ ମଧ୍ୟରେ ହୋଇଥିବା କୁହାଯାଉଛି। ଏଥିରେ ସୌମ୍ୟଜିତ ଶ୍ବେତାଙ୍କୁ ଅତି ଅଶ୍ରାବ୍ୟ ଭାଷାରେ ଗାଳି କରୁଥିବା ବେଳେ ଶ୍ବେତା ନିଜକୁ ଶେଷ କରିବା ଦେବା କଥା ମଧ୍ୟ କହୁଛନ୍ତି। ଏପରିକି ସେ ସରି ମଧ୍ୟ କହୁଛନ୍ତି।

ସମ୍ବଲପୁର ଅଞ୍ଚଳର ପୁରୁଷବନ୍ଧୁ ତଥା ସହକର୍ମୀ ସୌମ୍ୟଜିତ ମହାପାତ୍ରଙ୍କ ପାଇଁ ସେ ଆତ୍ମହତ୍ୟା କରିଥିବା ଶ୍ବେତାଙ୍କ ବାପା ସୁଶାନ୍ତ କୁମାର ଦାଶ ଓ ଭାଇ ବବୁଲ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଅପମୃତ୍ୟୁ ବଦଳରେ ଭାରତୀୟ ପିଙ୍ଗଳ କୋଡ ୩୦୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ, ଶ୍ବେତାଙ୍କ ଘର ଭଦ୍ରକ ଅଞ୍ଚଳରେ ହୋଇଥିବା ବେଳେ ସେ ଇନ୍‌ଫୋସିଟି ଥାନା ଅଧୀନ ଏକ ଘରୋଇ ଆଇଟି କମ୍ପାନୀରେ ୨୦୧୮ରୁ ସଫ୍ଟୱେର ଇଞ୍ଜିନିୟର ଭାବେ ଚାକିରି କରିଥିଲେ। ଶୈଳଶ୍ରୀବିହାରସ୍ଥିତ ଗ୍ରିନ୍‌ ଆପାର୍ଟମେଣ୍ଟର ଏକ ଫ୍ଲାଟ୍‌ରେ ୨ଜଣ ବାନ୍ଧବୀଙ୍କ ସହ ଭଡ଼ାରେ ରହୁଥିଲେ। ପ୍ରତ୍ୟେକ ଦିନ ରାତିରେ ସେ ପରିବାର ଲୋକଙ୍କ ସହ ମୋବାଇଲରେ କଥାବାର୍ତ୍ତା ହୁଅନ୍ତି। କିନ୍ତୁ ଆତ୍ମହତ୍ୟାର ୩ଦିନ ପୂର୍ବରୁ ପରିବାର ଲୋକ ବାରମ୍ବାର ଫୋନ୍‌ କରିଥିଲେ ମଧ୍ୟ ତାଙ୍କ ଫୋନ୍‌ ଲାଗିନଥିଲା। ଏପରିକି ରୁମ୍‌ ସାଥୀଙ୍କ ନମ୍ବର ସହ ମଧ୍ୟ ପରିବାର ଲୋକ କଥା ହେବା ସମ୍ଭବ ହୋଇପାରିନଥିଲା। ସନ୍ଦେହ ହେବାରୁ ଭୁବନେଶ୍ୱରରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଜରିଆରେ ପରିବାର ଲୋକ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସେ ରହୁଥିବା ଫ୍ଲାଟ୍‌ରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିଲା। ପରେ ରୁମ୍‌ର ଭିତର ପଟୁ କବାଟ ବନ୍ଦ ଥିବା ଦେଖିବାକୁ ମିଳିଥିଲା। ସମ୍ପର୍କୀୟଙ୍କ ଉପସ୍ଥିତିରେ ପୁଲିସ କବାଟ ଭାଙ୍ଗି ଦେଖିଲା ବେଳକୁ ବେକରେ ଓଢ଼ଣି ବାନ୍ଧି ସେ ପଙ୍ଖାରେ ଝୁଲି ପଡ଼ିଥିବା ଜଣାଯାଇଥିଲା। ଝୁଲନ୍ତା ମୃତଦେହ ଉଦ୍ଧାର କରି ପୁଲିସ ଡାକ୍ତରଖାନା ପଠାଇଥିଲା। ଶ୍ବେତା ବ୍ୟବହାର କରୁଥିବା ମୋବାଇଲକୁ ପୁଲିସ ଜବତ କରିବା ସହ ଆତ୍ମହତ୍ୟା ପୂର୍ବରୁ କାହା ସହିତ, କେତେ ଥର, କେତେ ସମୟ କଥା ହୋଇଛନ୍ତି ସେନେଇ କଲ ରେକର୍ଡ(ସିଡ଼ିଆର) ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି। ତା’ସହିତ ରହୁଥିବା ଆପାର୍ଟମେଣ୍ଟ ଫାଟକ, ନିକଟସ୍ଥ ରାସ୍ତାରେ ଥିବା ସିସିଟିଭି ଫୁଟେଜକୁ ପୁଲିସ ଯାଞ୍ଚ କରୁଛି।