ନୂଆଦିଲ୍ଲୀ: ଆଜି ସରିବ ସୁପ୍ରିମ୍‌କୋର୍ଟର ୪୮ତମ ପ୍ରଧାନବିଚାରପତି ଜଷ୍ଟିସ୍ ଏନ୍‌.ଭି. ରମଣାଙ୍କ କାର୍ଯ୍ୟକାଳ । ଆଜି ନେବେ ବିଦାୟ । କାର୍ଯ୍ୟକାଳ ଆରଂଭରୁ କାର୍ଯ୍ୟକାଳ ଶେଷ ମଧ୍ୟରେ ଅନେକ ସମୟରେ ନିଜର ମତ କୁ ଖୋଲାଖୋଲି ଭାବରେ ରଖିଛନ୍ତି । ତେବେ ଏହାପୂର୍ବରୁ ଗୁରୁବାର ଦିନ ସେ କହିଛନ୍ତି ଯେ ଉତ୍ତର ଭାରତର ଓକିଲମାନେ ଅଧିକ ଜୋରରେ ଯୁକ୍ତି କରୁଥିବାବେଳେ ଦକ୍ଷିଣ ଭାରତର ଓକିଲମାନେ ଶାନ୍ତ ରୁହନ୍ତି ଓ ଖୁବ ସୁନ୍ଦର ଢଙ୍ଗରେ ବିତର୍କ କରନ୍ତି। ପ୍ରଧାନ ବିଚାରପତି ଏନ.ଭି ରମଣା ଗୁରୁବାର ଦିନ ଏକ ମାମଲାର ଶୁଣାଣି ବେଳେ ଏହି କଥା କହିଛନ୍ତି ।

ମିଳିଥିବା ସୂଚନା ମୁତାବକ ଏକ ମାମଲାକୁ ନେଇ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂହଭି ଯୁକ୍ତି ଉପସ୍ଥାପନ କରୁଥିବାବେଳେ ବରିଷ୍ଠ ଓକିଲ ନିରଜ କିଶନ କୌଲ ଏଥିରେ ହସ୍ତକ୍ଷେପ କରିଥିଲେ।

ତଥାପି ସିଂହଭି ଯେତେବେଳେ ଅଟକି ନଥିଲେ, କୌଲ ବଡ ପାଟିରେ ନିଜ ଯୁକ୍ତି ରଖିଥିଲେ | ଏଥିରେ କ୍ଷୁବ୍ଧ ହୋଇ ପ୍ରଧାନ ବିଚାରପତି କହିଥିଲେ ଯେ ଏହା ଠିକ ନୁହେଁ, ଆପଣ ଏତେ ବଡ ପାଟିରେ କାହିଁକି କହୁଛନ୍ତି? ସିଂହଭିଙ୍କୁ କହିବାକୁ ଦିଅନ୍ତୁ | ଏହି ସମୟରେ ପ୍ରଧାନ ବିଚାରପତି କହିଥିଲେ ଯେ ଯେତେବେଳେ ସେ ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତି ଥିଲେ ସେତେବେଳେ ସେଠାରେ ମଧ୍ୟ ସମାନ ଘଟଣା ଘଟିଥିଲା।

ଓକିଲମାନେ ଜୋରରେ ଯୁକ୍ତିତର୍କ କରୁଥିଲେ। ଏହା କେବଳ ଉତ୍ତର ଭାରତର ଓକିଲମାନଙ୍କଠାରେ ଅଛି | ଦକ୍ଷିଣ ଭାରତର ଓକିଲମାନେ ଶାନ୍ତ ଭାବେ ଯୁକ୍ତି ଉପସ୍ଥାପନ କରନ୍ତି | ବଡ ପାଟିରେ ଚିଲ୍ଲେଇ ଯୁକ୍ତିତର୍କ କରନ୍ତି ନାହିଁ। ଆମେ ଶାନ୍ତି ପସନ୍ଦ କରୁ | ଆଉ ପ୍ରଧାନ ବିଚାରପତିଙ୍କ ମନ୍ତବ୍ୟ ପରେ କୌଲ କ୍ଷମା ମାଗିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ ଉଚ୍ଚ ସ୍ୱରରେ କହିବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ଆପଣ ନିଜର ଯତ୍ନ ନିଅନ୍ତୁ |