ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଞ୍ଚାୟତରେ ମଦ ବନ୍ଦ ପାଇଁ ସରପଞ୍ଚ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ‘ମଦ ବନ୍ଦ ନ କଲେ ତୁମର ରାସନ କାର୍ଡ କଟାଯିବ’ ଏହିଭଳି ଭାବେ ମୋହନା ବ୍ଲକ୍ ଦୁର୍ଗମ ଅଞ୍ଚଳରେ ଥିବା ଗୁଲୁବା ପଞ୍ଚାୟତରୁ ସମ୍ପୂର୍ଣ୍ଣ ମଦମୁକ୍ତ ପାଇଁ ସରପଞ୍ଚଙ୍କ ସହ ସ୍ଥାନୀୟ ମହିଳାମାନେ ଅଭିଯାନ ଆରମ୍ଭ କରିଛନ୍ତି ।ପଞ୍ଚାୟତର ସରପଞ୍ଚ ରେଜିନା ପ୍ରଧାନଙ୍କ ଏହି ଅଭିଯାନରେ ସାମିଲ ହୋଇଛନ୍ତି ବହୁ ମହିଳା ।
ସରପଞ୍ଚଙ୍କ ନେତୃତ୍ବରେ ମହିଳା ସଂଘର ଶତାଧିକ ମହିଳା ଓ ଅଙ୍ଗନଓ୍ବାଡୀ କର୍ମୀ ହାତରେ ପ୍ଲା କର୍ଡ଼ ଧରି ଗାଁ ଗାଁ ଯାଇ ମଦ ରନ୍ଧା ଓ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ଭାବେ ବିରୋଧ କରିଛନ୍ତି। ଏହାସହ ଜନସାଧାରଣଙ୍କୁ ମଦ ବନ୍ଦ ପାଇଁ ସଚେତନ ମଧ୍ୟ କରିଛନ୍ତି । ତେବେ ମଦ ନ ଛାଡ଼ିଲେ ଆଗାମୀ ଦିନରେ ରାସନ୍ କାର୍ଡ କାଟି ଦିଆଯିବ ବୋଲି ମଧ୍ୟ ଲୋକଙ୍କୁ କହିଛନ୍ତି ସରପଞ୍ଚ । ଘରର ପୁରୁଷମାନେ ମଦ୍ୟପାନ କରି ଘରେ ସ୍ତ୍ରୀମାନଙ୍କୁ ନିର୍ଯାତନା ଦେଉଛନ୍ତି । ସେଥିପାଇଁ ପଞ୍ଚାୟତକୁ ସମ୍ପୂର୍ଣ୍ଣ ଭାବେ ମଦ ମୁକ୍ତ ପଞ୍ଚାୟତ ଗଠନ ପାଇଁ ଆହ୍ବାନ ଦେଇଛନ୍ତି ସରପଞ୍ଚ ରେଜିନା ପ୍ରଧାନ ।





