ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି ଭାବେ ଏନଭି ରମଣାଙ୍କ ସରିଛି କାର୍ଯ୍ୟକାଳ । ତେବେ ଏବେ ବିଚାରପତି ୟୁ ୟୁ ଲଳିତ ପ୍ରଧାନ ବିଚାରପତି ପଦ ସମ୍ଭାଳିବେ। ବିଚାରପତି ଲଳିତ ଶନିବାର ନିଜର ପଦଭାର ଗ୍ରହଣ କରିବେ। ଦେଶର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଭାବେ ତାଙ୍କର ପ୍ରାଥମିକତା କଣ ରହିବ ଏବଂ ନିଜର ୭୩ ଦିନର କାର୍ଯ୍ୟକାଳରେ ସେ କେଉଁ କେଉଁ ଦିଗ ଉପରେ ଧ୍ୟାନ ଦେବେ ସେ ନେଇ ସୂଚନା ଦେଇଛନ୍ତି।
ଲଳିତ କହିଛନ୍ତି, ତାଙ୍କର ସବୁଠୁ ବଡ ପ୍ରାଥମିକତା କୋର୍ଟରେ ମାମଲାର ଲିଷ୍ଟିଂକୁ ସହଜ କରିବା, ସ୍ପଷ୍ଟ ଏବଂ ପାରଦର୍ଶୀ କରିବା ଉପରେ ରହିବ। ଏହା ବ୍ୟତୀତ ବିଭିନ୍ନ ନ୍ୟାୟାଳୟରେ ଜରୁରୀ ମାମଲାର ଶୁଣାଣିକୁ ପ୍ରାଥମିକତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅତି କମରେ ଗୋଟିଏ ଖଣ୍ଡପୀଠ ଯେମିତି ପୂରା ବର୍ଷ କାମ କରିବ ତା ଉପରେ ପ୍ରାଥମିକତା ରହିବ ବୋଲି ୟୁ ୟୁ ଲଳିତ କହିଛନ୍ତି।
ଏହା ପୂର୍ବରୁ ଶୁକ୍ରବାର ଅବସର ନେଇଥିବା ସିଜେଆଇ ଏନଭି ରମଣା କହିଛନ୍ତି, ସମ୍ବିଧାନ ଏବଂ ଆଇନକୁ କେମିତି ସାଧାରଣ ଜନତାଙ୍କ ନିକଟତର କରାଯାଇ ପାରିବ ଏହା ତାଙ୍କର ସାମ୍ବିଧାନିକ ଦାୟିତ୍ଵ ଥିଲା। ଲୋକଙ୍କ ମଧ୍ୟରେ ନ୍ୟାୟପାଳିକା ପ୍ରତି ସଚେତନ ଏବଂ ବିଶ୍ଵାସ ଜନ୍ମାଇବା ଉପରେ ଗୁରୁତ୍ଵ ଦିଆଯାଇଥିଲା। ଆଜି ବି ଲକ୍ଷ ଲକ୍ଷ ଲୋକଙ୍କ ସ୍ଵର ଚପାଇ ଦିଆ ଯାଉଛି। ଆଉ ସଚେତନ ଏବଂ ଉପଯୁକ୍ତ ସାଧନ ଅଭାବରୁ ସେମାନେ କୋର୍ଟ ପର୍ଯ୍ୟନ୍ତ ପହଞ୍ଚି ପାରୁ ନାହାନ୍ତି। ଏହି ଲୋକଙ୍କୁ ଉଚିତ୍ ସମୟରେ ଆଇନଗତ ସାହାଯ୍ୟ ଯୋଗାଇ ଦେବାର ଆବଶ୍ୟକତା ରହିଥିବା ସିଜେଆଇ ରମଣା କହିଛନ୍ତି।
