ଏସିଆ କପ୍ କ୍ରିକେଟ; ହାଇଭୋଲ୍ଟେଜ୍ ମ୍ୟାଚରେ ପାକିସ୍ତାନକୁ ୫ ଓ୍ବିକେଟ୍‌ରେ ହରାଇଲା ଟିମ୍ ଇଣ୍ଡିଆ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏସିଆ କପ୍‌ରେ ଭାରତ-ପାକିସ୍ତାନ ଦମଦାର ଫାଇଟରେ ମ୍ୟାଚ୍ ହାତେଇ ନେଇଛି ଭାରତ। ପାକିସ୍ତାନ ଦେଇଥିବା ୧୪୮ ରନ୍ ଟାର୍ଗେଟକୁ ହାସଲ କରିନେଇଛି ଭାରତ। ଏହି ରୋମାଞ୍ଚକର ମ୍ୟାଚ୍ ରେ ପାକିସ୍ତାନକୁ ୫ ଓ୍ବିକେଟ୍‌ରେ ହରାଇଛି ଟିମ୍ ଇଣ୍ଡିଆ। ଏହି ମ୍ୟାଚ୍ କୁ ଛକା ମାରି ଜିତାଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା।

ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ଏହି ହାଇଭୋଲ୍ଟେଜ୍ ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ପାକିସ୍ତାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭର ପୂର୍ବରୁ ସମସ୍ତ ୱିକେଟ ହରାଇ ୧୪୭ ରନ୍ କରିପାରିଥିଲା। ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ୱାନ୍ ସର୍ବାଧିକ ୪୩ ଓ ଇଫତିଖାର ଅହମ୍ମଦ ୨୮ ରନ୍ କରିଥିଲେ। ଅନ୍ୟ କୌଣସି ଖେଳାଳି ଭଲ ଖେଳ ଦେଖାଇ ପାରି ନ ଥିଲେ।ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୪, ହାର୍ଦ୍ଦିକ ପାଣ୍ଡ୍ୟା ୩ଟି, ଅର୍ଶଦୀପ ସିଂହ ଓ ଅଭେସ ଖାନ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ପାକିସ୍ତାନର ୧୪୮ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରି ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇଥିଲା। ଜବାବରେ ଭାରତ ପ୍ରଥମେ ରାହୁଲଙ୍କ ଓ୍ବିକେଟ୍ ହରାଇଥିଲା। ପରେ ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ପ୍ୟାଭିଲିୟନ୍ ଫେରିଥିଲେ। ତେବେ ହାର୍ଦିକ ପାଣ୍ଡ୍ୟା ୩୩ ଓ ରବୀନ୍ଦ୍ର ଜାଡେଜା ଙ୍କ ଦମଦାର ୩୫ ରନ ଫଳରେ ଭାରତ ବିଜୟ ଲକ୍ଷ୍ୟ କୁ ସହଜରେ ହାସଲ କରି ନେଇଥିଲା।

ଗତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ଏକତରଫା ଭାବେ ୧୦ ଓ୍ୱିକେଟରେ ମ୍ୟାଚ୍ ଜିତିଥିବାରୁ ଭାରତୀୟ ପ୍ରଶଂସକ ଏହି ଲଢ଼େଇକୁ ପ୍ରତିଶୋଧର ଲଢ଼େଇ ଆଖ୍ୟା ଦେଇଛନ୍ତି। ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ଦୁଇ ପ୍ରତିନ୍ଦ୍ୱନ୍ଦୀଙ୍କ ମଧ୍ୟରେ ହେଉଥିବା ହାଇଭୋଲଟେଜ ଟକ୍କର ଦେଖିବାକୁ ଦର୍ଶକ ସିଟ୍ ସମ୍ପୂର୍ଣ୍ଣ ବୁକ୍ ହୋଇଯାଇଥିଲା।

Related Posts