୨୦୨୩ ଏସିଆ କପ: ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ:୨୦୨୩ ଏସିଆ କପ ପାକିସ୍ତାନରେ ଆୟୋଜନ ହେବ। ଆଉ ଏଥିରେ ଭାଗ ନେବା ପାଇଁ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ। ଦୀର୍ଘବର୍ଷ ପରେ ଭାରତୀୟ ଟିମ୍‌କୁ ପାକିସ୍ତାନ ପଠାଇବାକୁ ରାଜି ହୋଇଛି ବିସିସିଆଇ।

ତେବେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚାଲିଥିବାରୁ ଟିମ ଇଣ୍ଡିଆ ପାକିସ୍ତାନକୁ ଯିବ କି ନାହିଁ, ତା’ର ଚୂଡ଼ାନ୍ତି ନିଷ୍ପତ୍ତି ଭାରତ ସରକାର ନେବେ। ଭାରତ ସରକାର ଅନୁମତି ଦେବା ପରେ ହିଁ ବିସିସିଆଇ ଏସିଆ କପ ପାଇଁ ଭାରତୀୟ ଖେଳାଳିଙ୍କୁ ପାକିସ୍ତାନ ପଠାଇବ।

ମିଳିଥିବା ସୂଚନା ଅନୁଯାୟୀ, ଅକ୍ଟୋବର ୧୮ରେ ବିସିସିଆଇର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ସବୁ ରାଜ୍ୟର କ୍ରିକେଟ ଆସୋସିଏନକୁ ଚିଠି ଲେଖାଯାଇଛି। ଏହି ବୈଠକରେ ପାକିସ୍ତାନ ଗସ୍ତ ସମ୍ପର୍କରେ ବିସିସିଆଇ କର୍ତ୍ତୃପକ୍ଷ ରାଜ୍ୟ ଆସୋସିଏସନଗୁଡ଼ିକ ସହ ମଧ୍ୟ ଆଲୋଚନା କରିବ। ସମସ୍ତଙ୍କ ମତାମତ ପରେ ବିସିସିଆଇ ଭାରତ ସରକାରଙ୍କ ପାଖକୁ ଅନୁମତି ପାଇଁ ପ୍ରସ୍ତାବ ପଠାଇବ।

୨୦୨୩ରେ ପାକିସ୍ତାନ ୫୦ ଓଭର ବିଶିଷ୍ଟ ଏସିଆ କପର ଆୟୋଜନ କରିବ। ଏହାପରେ ଭାରତରେ ଦିନିକିଆ ବିଶ୍ୱକପ ହେବ। ତେଣୁ ଏଥିରେ ଭାଗ ନେବାକୁ ପାକିସ୍ତାନ ମଧ୍ୟ ଭାରତ ଆସିବ।

ଭାରତ ଓ ପାକିସ୍ତାନ ୨୦୧୨-୧୩ ପରଠାରୁ ଆଉ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ଖେଳି ନାହାନ୍ତି। ୨୦୧୨-୧୩ରେ ପାକିସ୍ତାନ ଶେଷଥର ପାଇଁ ଭାରତ ଗସ୍ତରେ ଆସି ୩ଟି ଟି-୨୦ ଓ ସମାନ ସଂଖ୍ୟକ ଦିନିକିଆ ସିରିଜ ଖେଳିଥିଲା। ସେବେଠାରୁ ଉଭୟ ଦଳ କେବଳ ଏସିଆ କପ ଓ ବିଶ୍ୱସ୍ତରୀୟ ଇଭେଣ୍ଟରେ ମୁହାଁମୁହିଁ ହେଉଛନ୍ତି।

ଭାରତ ଶେଷଥର ପାଇଁ ୨୦୦୫-୦୬ରେ ପାକିସ୍ତାନ ଟୁରରେ ଯାଇଥିଲା। ରାହୁଲ ଡ୍ରାଭିଡ ସେତେବେଳେ ଅଧିନାୟକ ଥିଲେ।

Related Posts