ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଲାଞ୍ଚ ନେବା ପଡିଲା ମହଙ୍ଗା । ମାଡ଼ିବସିଲେ ଭିଜିଲାନ୍ସ ଅଧିକାରୀ । ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଏହି ଆଇଆଇସିଙ୍କ ନାଁ ଅଭିନବ ଡାଳୁଆ। ସେ ଢେଙ୍କାନାଳ ସଦର ଥାନାରେ ନିଯୁକ୍ତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଇଆଇସି ଅଭିନବ ଡାଳୁଆ ଜଣେ କୋଇଲା ଟ୍ରକ୍ ମାଲିକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ଥାନା ଭିତରେ ଆଇଆଇସି ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ।
ଭିଜିଲାନ୍ସ ଅଭିନବଙ୍କ ଠାରୁ ୩୦ ହଜାର ଟଙ୍କା ଜବତ କରିଥିବା ବେଳେ ତାଙ୍କ ସରକାରୀ ବାସଭବନ ସମେତ ମୋଟ ୮ଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି।
ନିକଟରେ ଆଇଆଇସି ଅଭିନବ ଡାଳୁଆଙ୍କର ପଦୋନ୍ନତି ହୋଇଥିଲା। ସେ ଡିଏସ୍ପି ପାହ୍ୟାକୁ ଉନ୍ନୀତ ହୋଇଛନ୍ତି। ରାଉରକେଲାରେ ତାଙ୍କର ପୋଷ୍ଟିଂ ନେଇ ଅର୍ଡର ବି ବାହାରି ସାରିଥିଲା।
ଅନ୍ୟପକ୍ଷରେ ଲାଞ୍ଚ ନେଉଥିବା ବେଳେ ଆଜି ଜଣେ ବିଇଓ ମଧ୍ୟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କ ନାଁ ଅଭୟ କୁମାର ବେହେରା। ସେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକର ବିଇଓ ଭାବେ କାର୍ଯ୍ୟରତ ଅଛନ୍ତି।





