“ରାଜନୀତିରେ ପ୍ରବେଶ କରିବା ପରେ ଆପଣ ନିଜର ଆଦର୍ଶ ଭୁଲି ଯାଇଛନ୍ତି”; କେଜ୍ରିୱାଲଙ୍କୁ ଆନ୍ନା ହଜାରେଙ୍କ ଚିଠି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀରେ ଅବକାରୀ ଦୁର୍ନୀତିକୁ ନେଇ ଆମ ଆଦମୀ ପାର୍ଟିର ସରକାର ବିରୋଧରେ ତଦନ୍ତ ଚାଲିଛି। ଏସବୁ ଭିତରେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଆମ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ଆନ୍ନା କେଜ୍ରିୱାଲଙ୍କୁ ମଦ୍ୟପାନ ସହ ଜଡିତ ସମସ୍ୟା ଏବଂ ଏହାର ପରାମର୍ଶ ଦେଇଛନ୍ତି।

ଚିଠିରେ ଆନ୍ନା ହଜାରେ ଲେଖିଛନ୍ତି- ‘ସ୍ବରାଜ’ ନାମକ ପୁସ୍ତକରେ ଆପଣ(କେଜ୍‌ରିୱାଲ) କେତେ ଆଦର୍ଶ ଜିନିଷ ଲେଖିଥିଲେ। ସେତେବେଳେ ଆପଣଙ୍କଠାରୁ ବହୁତ କିଛି ଆଶା ଥିଲା। କିନ୍ତୁ ରାଜନୀତିରେ ପ୍ରବେଶ କରିବା ଏବଂ ମୁଖ୍ୟମନ୍ତ୍ରୀ ହେବା ପରେ ଆପଣ ନିଜର ଆଦର୍ଶ ଭୁଲିଯାଇଥିବା ପରି ମନେ ହେଉଛି। ଦିଲ୍ଲୀ ରାଜ୍ୟରେ ଆପଣଙ୍କ ସରକାର ଏକ ନୂତନ ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି। ଏଥିରେ ମଦ୍ୟପାନ ଏବଂ ମଦ ବିକ୍ରୟକୁ ଉତ୍ସାହିତ କରାଯାଇଛି। ଏହି ଜିନିଷ ଜନସାଧାରଣଙ୍କ ସ୍ବାର୍ଥରେ ନୁହେଁ। ଯେପରି ମଦ୍ୟପାନର ଏକ ନିଶା, ସେହିଭଳି କ୍ଷମତାର ନିଶା ମଧ୍ୟ ଅଛି। ଆପଣ ଏହି କ୍ଷମତାର ନିଶାରେ ବୁଡି ରହିଛନ୍ତି।

ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ଅବକାରୀ ନୀତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ବଳରେ ସିବିଆଇ ମାମଲା କରିବା ସହ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଓ ଅନ୍ୟ କିଛି ଅଧିକାରୀଙ୍କ ଘରେ ରେଡ କରିଥିଲା। ସିବିଆଇ ପରେ ଏବେ ଇଡି ମଧ୍ୟ ମାମଲା ରୁଜୁ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଏହାକୁ ନେଇ ଭାଜପା ଓ ଆପ ମଧ୍ୟରେ ବାକଯୁଦ୍ଧ ଜାରି ରହିଛି।

Related Posts