ଜାନୁୟାରୀ ରେ ଶେଷ ହେବ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ, ୨୦୨୪ ନିର୍ବାଚନ ପୂର୍ବରୁ ବିଜେପିକୁ ମିଳିବ ନୂଆ ରାଷ୍ଟ୍ରୀୟ ଅଧକ୍ଷ !

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜେପି ନଡ୍ଡା ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛନ୍ତି। ତେବେ ଆସନ୍ତା ୨୦୨୩ ମସିହା ଜାନୁଆରୀ ମାସରେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଶେଷ ହେବ । ନଡ୍ଡା ଦଳର ପୂର୍ଣ୍ଣକାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦଳର ଦାୟିତ୍ବ ୨୦ଜାନୁଆରୀ ୨୦୨୦ରୁ ସମ୍ଭାଳୁଛନ୍ତି । ୨୦୧୯ ଲୋକସଭା ନିର୍ବାଚନ ପରେ ତତ୍କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗୃହମନ୍ତ୍ରୀ ଭାବେ ଦାୟିତ୍ଵ ନେଇଥିଲେ। ଏହା ପରେ ଜୁଲାଇ ୨୦୧୯ରେ ନଡ୍ଡାଙ୍କୁ ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଥିଲା, ଏହାର କିଛି ମାସ ପରେ ତାଙ୍କୁ ତିନି ବର୍ଷ ପାଇଁ ସର୍ବସମ୍ମତି କ୍ରମେ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା ।

ତେବେ ନଡ୍ଡାଙ୍କ କାର୍ଯ୍ୟକାଳ ଆସନ୍ତା ଜାନୁୟାରୀ ମାସରେ ସଂପୂର୍ଣ୍ଣ ହେବାକୁ ଯାଉଛି। ଏହାକୁ ଲକ୍ଷ୍ୟ କଲେ ଆଗାମୀ ୨୦୨୪ ନିର୍ବାଚନ ପୂର୍ବରୁ ଦଳକୁ ନୂଆ ଅଧକ୍ଷ ମିଳି ପାରନ୍ତି। ଏପରି ସ୍ଥିତିରେ ବିଜେପିରେ ଏବେ ନୂଆ ଅଧ୍ୟକ୍ଷଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । କାରଣ ବିଜେପି ସମ୍ବିଧାନ ମୁତାବିକ ପାର୍ଟିରେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନର ଏକ ବିସ୍ତୃତ ପ୍ରକ୍ରିୟା ହୋଇଥାଏ । ବିଜେପିର ସମ୍ବିଧାନ ଅନୁସାରେ ଅତି କମ୍‌ରେ ୫୦ପ୍ରତିଶତ ରାଜ୍ୟରେ ସଂଗଠନର ନିର୍ବାଚନ ହେବା ପରେ ହିଁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିର୍ବାଚନ ହୋଇଥାଏ ।

ବିଜେପିର ଦଳୀୟ ସମ୍ବିଧାନ ଧାରା ୧୯ରେ ରାଷ୍ଟ୍ରୀୟ ଅଧ୍ୟକ୍ଷର ନିର୍ବାଚନ ପ୍ରକ୍ରିୟାର ବର୍ଣ୍ଣନା କରାଯାଇଛି । ଏହି ଅନୁସାରେ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷର ନିର୍ବାଚନ ଏକ ନିର୍ବାଚକ ମଣ୍ଡଳ ଦ୍ବାରା କରିବାର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ରାଷ୍ଟ୍ରୀୟ ପରିଷଦ ଏବଂ ପ୍ରଦେଶ ପରିଷଦର ସଦସ୍ୟ ବି ସାମିଲ ହୋଇଥାନ୍ତି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ସେହି ବ୍ୟକ୍ତି ହୋଇପାରନ୍ତି ଯିଏ ଅତିକମ୍‌ରେ ୪ଅବଧି ପର୍ଯ୍ୟନ୍ତ ପାର୍ଟିର ସକ୍ରିୟ ସଦସ୍ୟ ରହିଛନ୍ତି ଏବଂ ଅତିକମ୍‌ରେ ୧୫ବର୍ଷରୁ ପାର୍ଟିର ସଦସ୍ୟ ରହିଥିବେ ।ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦର ଯୋଗ୍ୟତା ରଖୁଥିବା ନେତାଙ୍କ ନାମ ନିର୍ବାଚକ ମଣ୍ଡଳରେ ସାମିଲ ଯେକୌଣସି ୨୦ସଦସ୍ୟ ପ୍ରସ୍ତାବିତ କରିପାରିବେ । କିନ୍ତୁ ଏହି ମିଳିତ ପ୍ରସ୍ତାବ ଅତି କମ୍‌ରେ ୫ରାଜ୍ୟରୁ ମଧ୍ୟ ଆସିବା ଦରକାର । ଯେଉଁଠାରେ ରାଷ୍ଟ୍ରୀୟ ପରିଷଦର ନିର୍ବାଚନ ସମ୍ପର୍ଣ୍ଣ ହୋଇସାରିଥିବ।

Related Posts