ନୂଆଦିଲ୍ଲୀ: ଆଜି ସକାଳେ ନାସିକ ଅଭିମୁଖେ ଯାଉଥିବା ଗୋଟାଏ ‘ସ୍ପାଇସ୍ଜେଟ୍’ ବିମାନରେ ‘ଅଟୋପାଇଲଟ୍’ରେ ତ୍ରୁଟି ଦେଖା ଦେଇଛି । ଫଳରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରକୁ ବିମାନଟି ଫେରି ଆସିଛି ।
ଆଜି ସକାଳ ୬.୫୪ରେ ‘ସ୍ପାଇସ୍ଜେଟ୍’ ବିମାନ ‘ଏସ୍ଜି-୮୩୬୩’ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା। ଏହାର ପ୍ରାୟ ଅଧଘଣ୍ଟା ପରେ ବିମାନଟି ପୁଣି ଦିଲ୍ଲୀକୁ ଫେରିଆସିଲା।
‘ସ୍ପାଇସ୍ ଜେଟ୍’ର ଉକ୍ତ ‘ବୋଇଙ୍ଗ୍ ୭୩୭’ ବିମାନଟି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ନିରାପଦରେ ଅବତରଣ କରିବା ପରେ ଯାତ୍ରୀମାନଙ୍କୁ ତା’ଠାରୁ ଛୋଟ ‘କ୍ୟୁ୪୦୦’ ବିମାନକୁ ସ୍ଥାନାନ୍ତର କରାଯାଇଥିଲା।
‘ଡିଜିସିଏ’ର ଜଣେ ଅଧିକାରୀଙ୍କ ବକ୍ତବ୍ୟରୁ ଉଦ୍ଧାର କରି ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି, ‘ଅଟୋପାଇଲଟ୍’ରେ ତ୍ରୁଟି ଦେଖା ଦେବାରୁ ଦିଲ୍ଲୀ-ନାସିକ ମଧ୍ୟରେ ଚଳାଚଳ କରୁଥିବା ‘ସ୍ପାଇସ୍ଜେଟ୍ ବି୭୩୭’ ବିମାନ ‘ଭିଟି-ଏସ୍ଏଲ୍ପି’ (ଏସ୍ଜି-୮୩୬୩) ଗୁରୁବାର ଦିନ ଉଡ଼ନ୍ତା ଅବସ୍ଥାରେ ଅଧବାଟରୁ ପ୍ରତ୍ୟାବର୍ତ୍ତନ କରିଛି।
‘ସ୍ପାଇସ୍ଜେଟ୍’ ବିମାନଗୁଡ଼ିକରେ ବିଭିନ୍ନ ପ୍ରକାରର ତ୍ରୁଟିବିଚ୍ୟୁତି ଦେଖା ଦେଉଥିବାରୁ ‘ଡାଇରେକ୍ଟୋ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍’ (ଡିଜିସିଏ) କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।
ଜୁଲାଇ ମାସରେ ‘ଡିଜିସିଏ’ କହିଥିଲା କି, ନିରାପଦ, ଦକ୍ଷତାସମ୍ପନ୍ନ ଏବଂ ନିର୍ଭରଯୋଗ୍ୟ ବିମାନ ସେବା ଯୋଗାଇବାରେ ‘ସ୍ପାଇସ୍ଜେଟ୍’ ବିଫଳ ହୋଇଛି। ତେଣୁ, ତା’ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ‘ଜିଜିସିଏ’ ‘ସ୍ପାଇସ୍ଜେଟ୍ ଏୟାର୍ଲାଇନ୍’କୁ ପଚାରିଥିଲା ।
