ଉତ୍ତର କଶ୍ମୀରର ସୋପୋର ବୋମାଇ ଗାଁରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ: ୨ ନିହତ ଓ ଜଣେ ସାଧାରଣ ନାଗରିକ ଆହତ

ଶ୍ରୀନଗର: ବୁଧବାର ରାତିରେ ଉତ୍ତର କଶ୍ମୀରର ସୋପୋର ବୋମାଇ ଗାଁରେ ଫୁଟିଛି ଗୁଳି । ନିରାପତ୍ତା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏହି ଗୁଳି ବିନିମୟରେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍‌-ଏ-ମହମ୍ମଦ୍‌’ର ୨ଜଣ ଆତଙ୍କବାଦୀ ନିହତ ଓ ଜଣେ ସାଧାରଣ ନାଗରିକ ଆହତ ହୋଇଥିବା କଥା ଆଜି ପୁଲିସ କହିଛି।

ଜଣେ ପୁଲିସ ଅଧିକାରୀ କହିଛନ୍ତି, ବାରମୂଳା ଜିଲ୍ଲାର ସୋପୋର୍‌ ନଗରୀ ଅନ୍ତର୍ଗତ ବୋମାଇ ଅଞ୍ଚଳରେ ବୁଧବାର ରାତିରେ ନିରାପତ୍ତା ବଳ ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅଭିଯାନ ଚଳାଉଥିବା ବେଳେ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା।

ଏହି ଅଭିଯାନରେ ନିରାପତ୍ତା କର୍ମଚାରୀମାନେ ୨ଜଣ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ଗୁଳି ବିନିମୟ ସମୟରେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି। ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍‌-ଏ-ମହମ୍ମଦ’ ସହିତ ସଂଶ୍ଳିଷ୍ଟ ଥିବା ଉକ୍ତ ଆତଙ୍କବାଦୀ ଦୁହେଁ ସାଧାରଣ ନାଗରିକମାନଙ୍କ ଉପରେ ଆକ୍ରମଣ କରିବା ଲାଗି ଯୋଜନା କରୁଥିଲେ।

ଟୁଇଟ୍‌ କରି କଶ୍ମୀର ‘ଏଡିଜିପି’ ବିଜୟ କୁମାର କହିଛନ୍ତି, ନିହତ ‘ଜେଇଏମ୍‌’ ଆତଙ୍କବାଦୀମାନେ ହେଉଛନ୍ତି ସୋପୋର୍‌ର ମହମ୍ମଦ୍‌ ରଫି ଏବଂ ପୁଲ୍‌ୱାମାର କାଇଜର୍‌ ଅଶରଫ୍‌। ରଫି ଆଗରୁ ୨ ଥର ‘ପିଏସ୍ଏ’ରେ ବୁକ୍‌ ହୋଇସାରିଥିଲଶ। ଉଭୟେ କେତେଗୁଡ଼ିଏ ଆତଙ୍କବାଦୀ ଅପରାଧ ମାମଲାରେ ଜଡ଼ିତ ଅଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ସୋପୋର ଅଞ୍ଚଳରେ ସେମାନେ ସାଧାରଣ ନାଗରିକମାନଙ୍କୁ ଉପରେ ଆକ୍ରମଣ କରିବା ଲାଗି ଯୋଜନା କରୁଥିଲେ।

Related Posts