ନୂଆଦିଲ୍ଲୀ: ଖ୍ୟାତନାମା କଫି କମ୍ପାନି ‘ଷ୍ଟାର୍ବକ୍ସ୍’ର ନୂତନ ‘ସିଇଓ’ ନିଯୁକ୍ତ । ଭାରତରେ ଜନ୍ମିତ ଲକ୍ଷ୍ମଣ ନରସିଂହନ୍ଙ୍କୁ ନିଯୁକ୍ତ କରାଯାଇଛି।
ଏ ସଂକ୍ରାନ୍ତରେ ସୂଚନା ଦେଇ ‘ଷ୍ଟାର୍ବକ୍ସ୍’ କହିଛି ଯେ, ଅକ୍ଟୋବର ପହିଲାରୁ ଲକ୍ଷ୍ମଣ ନରସିଂହନ୍ କମ୍ପାନିରେ ଯୋଗ ଦେଲେ ବି ୨୦୨୩ ଏପ୍ରିଲ୍ରେ କମ୍ପାନିର ମୁଖ୍ୟଭାବେ ଦାୟିତ୍ବ ନିର୍ବାହ କରିବେ। ସେ ପର୍ଯ୍ୟନ୍ତ ଅସ୍ଥାୟୀ ‘ସିଇଓ’ ହାୱାର୍ଡ ସଲ୍ଜ୍ କମ୍ପାନିର ନେତୃତ୍ବ ନେବେ ଏବଂ ଲକ୍ଷ୍ମଣ ନରସିଂହନ୍ ତାଙ୍କ ସହିତ ମିଶି ଏପ୍ରିଲ୍ ୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବେ।
ନରସିଂହମ୍ଙ୍କୁ ସ୍ବାଗତ ଜଣାଇ କର୍ମଚାରୀମାନଙ୍କୁ ଲେଖିଥିବା ପତ୍ରରେ ସଲ୍ଜ୍ ଉଲ୍ଲେଖ କରିଛନ୍ତି, ସେ ହେଉଛନ୍ତି ଟାଣୁଆ ଗ୍ରାହକ ବ୍ରାଣ୍ଡ୍ ନିର୍ମାଣ କରିବାରେ ଗଭୀର ଅନୁଭୂତି ଥିବା ଜଣେ କୌଶଳୀ ଏବଂ ରୂପାନ୍ତରଣକାରୀ ନେତା।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ୫୫ ବର୍ଷିୟ ଲକ୍ଷ୍ମଣ ନରସିଂହନ୍ ‘ଡ୍ୟୁରେକ୍ସ୍ କଣ୍ଡୋମ୍, ‘ଏନ୍ଫ୍ୟାମିଲି ବେବି ଫର୍ମୁଲା’ ଏବଂ ‘ମ୍ୟୁସିନେକ୍ସ୍ କୋଲ୍ଡ୍ ସିରପ୍’ ନିର୍ମାତା ‘ରେକିଟ୍’ର ‘ସିଇଓ’ ଥିଲେ। ଏହାଛଡ଼ା, ସେ ଗ୍ଲୋବାଲ୍ ଚିଫ୍ କମର୍ସିଆଲ୍ ଅଫିସର୍ ଭାବେ ‘ପେପ୍ସିକୋ’ରେ କାର୍ଯ୍ୟ କରିଥିଲେ।
