ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନୂଆ ମନ୍ତ୍ରୀମଣ୍ଡଳରୁ ପ୍ରଥମ ଇସ୍ତଫା ସାମ୍ନାକୁ ଆସିଛି। ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ବିବାଦୀୟ ମନ୍ତ୍ରୀ କାର୍ତ୍ତିକେୟ ସିଂହ। ତେବେ ବିହାରରେ ନୂଆ ମନ୍ତ୍ରୀମଣ୍ଡଳ ଗଠନ ଦିନ ଠାରୁ ଚର୍ଚ୍ଚାରେ ରହିଥିଲେ କାର୍ତ୍ତିକେୟ ସିଂହ। ଏକ ଅପହରଣ ମାମଲାରେ କୋର୍ଟରେ ହଜାର ହେବାକୁ ଧାର୍ଯ୍ୟ ଥିବା ଦିନରେ ସେ ମନ୍ତ୍ରୀ ରୂପେ ଶପଥ ନେଇ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ତାଙ୍କୁ ଆଇନ ବିଭାଗର ଦାୟିତ୍ବ ମିଳିବା ପରେ ବିରୋଧୀ ବିଜେପି ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପ୍ରଶ୍ନ କରିଥିଲା। ତେବେ ବିରୋଧ ପରେ ଅପହରଣ ମାମଲାରେ ଅଭିଯୁକ୍ତ ଥିବା କାର୍ତ୍ତିକେୟଙ୍କ ଠାରୁ ଗୁରୁବାର ଦିନ ଆଇନ ମନ୍ତ୍ରଣାଳୟ ଦାୟିତ୍ବ ଛଡାଇ ନିଆଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କୁ ଆଖୁ ଓ ଶିଳ୍ପ ବିଭାଗର ଦାୟିତ୍ବ ପ୍ରଦାନ କରିଥିଲେ । ହେଲେ ନୂଆ ଦାୟିତ୍ବ ମିଳିବାର କିଛି ଘଣ୍ଟା ମଧ୍ୟରେ ଅର୍ଥାତ୍ ଗୁରୁବାର ସନ୍ଧ୍ୟା ସମୟରେ କାର୍ତ୍ତିକେୟ ସିଂହ ମନ୍ତ୍ରୀ ପଦ ଛାଡିବାକୁ ଘୋଷଣା କରିଛନ୍ତି । ସେ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିକଟଙ୍କୁ ପଠାଇଛନ୍ତି । ତେବେ ବିଭାଗ ଅଦଳବଦଳ ଯୋଗୁଁ ଅସନ୍ତୁଷ୍ଟ ହୋଇ ସେ ଇସ୍ତଫା ଦେଇଥିବା ଜଣାପଡିଛି ।

ମୁଖ୍ୟମନ୍ତ୍ରୀ ନୀତିଶ କୁମାର କାର୍ତ୍ତିକେୟ ସିଂହଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି ଏବଂ ଏହାକୁ ରାଜ୍ୟପାଳ ଫଗୁ ଚୌହାନ ନିକଟକୁ ପଠାଇଛନ୍ତି । ରାଜ୍ୟପାଳ ମଧ୍ୟ ଇସ୍ତଫା ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ନୀତିଶଙ୍କ ନୂଆ ମନ୍ତ୍ରୀମଣ୍ଡଳରୁ ଏହା ପ୍ରଥମ ଇସ୍ତଫା ଅଟେ ।