ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନିକଟରେ ବିଜୁ ମହିଳା ଜନତା ଦଳର ଏକ ବିଶାଳ ଟିମ୍ ଘୋଷଣା ହୋଇଛି। ତେବେ ଏହି ଟିମର କାର୍ଯ୍ୟକାରିଣୀ ତାଲିକାରେ ଜଣେ ମୃତ ମହିଳାଙ୍କ ନାମ ସ୍ଥାନ ପାଇଛି । ସଦ୍ୟ ଘୋଷିତ ମହିଳା ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ତାଲିକାରେ ସ୍ଥାନ ପାଇଛନ୍ତି ବ୍ରହ୍ମପୁର ସହରର ଟାଣୁଆ ନେତ୍ରୀ ସ୍ବର୍ଗତାଃ ମୀନାକ୍ଷୀ ମିଶ୍ର। ଏହାକୁ ନେଇ ଦଳ ଭିତରେ ଓ ବାହାରେ ଚର୍ଚ୍ଚା ଜୋର୍ ଧରିଛି। ସାଂଗଠନିକ ତାଲିକାରେ ଜଣେ ମୃତ ମହିଳାଙ୍କ ନାମ କିଭଳି ରହିଲା ଏବଂ ତାଲିକା ପ୍ରକାଶ ପୂର୍ବରୁ କିଭଳି ଦଳ ଜାଣିପାରିଲା ନାହିଁ, ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
ତେବେ ମିଳିଥିବା ସୂଚନା ଅନୁସାରେ ୨୦୨୦ ଫେବ୍ରୁଆରୀ ମାସ ୧୨ ତାରିଖରେ ବିଜେଡିର ଏହି ନେତ୍ରୀ ଜଣକ ନ୍ୟାୟ ପାଇବା ପାଇଁ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମାହୁତି ଦେଇଥିଲେ। ପୁଅର ସୁରକ୍ଷା ଦାବି କରିବା ସହ ବ୍ରହ୍ମପୁର ପୁଲିସର ଅପାରଗତାକୁ ନେଇ ଦଳୀୟ ନେତାଙ୍କ ସମେତ ବହୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ ମୀନାକ୍ଷୀ। ହେଲେ, ତାଙ୍କୁ ସବୁଆଡୁ ନିରାଶ ହେବାକୁ ପଡ଼ିଥିଲା। ଯେଉଁଥିପାଇଁ ସେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଦେଇଥିଲେ। ଯାହାକି, କେବଳ ବ୍ରହ୍ମପୁର କାହିଁକି ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ, ବର୍ତ୍ତମାନ ବିଜେଡିର ମହିଳା କର୍ମକର୍ତ୍ତାଙ୍କ ତାଲିକାରେ ସ୍ଥାନ ପାଇବା ପରେ ପୁଣିଥରେ ଚର୍ଚ୍ଚାକୁ ଫେରିଛନ୍ତି ଦିବଂଗତ ମୀନାକ୍ଷୀ। ତାଲିକାର ୧୯ନଂରେ ତାଙ୍କ ନାମ ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଛି।
ତେବେ ମୀନାକ୍ଷୀ ଜୀବିତ ଥିବା ଅବସ୍ଥାରେ ଦଳ ତାଙ୍କୁ ସୁରକ୍ଷା ଦେଇପାରିନଥିବା ବେଳେ ମୃତ୍ୟୁବରଣ କରିବାର ଦୁଇ ବର୍ଷ ପରେ କିପରି ମନେ ପକାଇଲା ତାକୁ ନେଇ ପ୍ରଶ୍ନ ଉଠିଛି। ପ୍ରକୃତରେ ମୀନାକ୍ଷୀଙ୍କ ମୃତ୍ୟୁ ସଂପର୍କରେ ସ୍ଥାନୀୟ ଦଳୀୟ ନେତା ରାଜ୍ୟ ନେତାଙ୍କୁ ଅବଗତ କରାଇ ନାହାନ୍ତି ନା ଦଳ ପୁରୁଣା ତାଲିକାକୁ ପୁନରାବୃତ୍ତି କରିଛି ବୋଲି ଆଲୋଚନା ଜୋର୍ ଧରିଛି। କେବଳ ସେତିକି ନୁହେଁ, ଏହି କର୍ମକର୍ତ୍ତା ତାଲିକାରେ ଜଣେ ମହିଳାଙ୍କ ନାମ ରହିଥିବାବେଳେ ସେ ଅଧିକାଂଶ ସମୟରେ ବିଦେଶରେ ରହୁଛନ୍ତି। ସ୍ଥାନୀୟ ଅଞ୍ଚଳ ସହ ସଂପୃକ୍ତି ନଥିବା ଜଣେ ମହିଳାଙ୍କୁ ଦଳ କିଭଳି କର୍ମକର୍ତ୍ତା ତାଲିକାରେ ସ୍ଥାନ ଦେଇଛି, ସେଥିନେଇ ବି ସମାଲୋଚନା ଆରମ୍ଭ ହୋଇଯାଇଛି।
ଅନ୍ୟପକ୍ଷରେ, ଦଳ ‘ୱାନ୍ ମ୍ୟାନ୍ ୱାନ୍ ପୋଷ୍ଟ’ ବୋଲି କହୁଥିବା ବେଳେ ଏଥିରେ ମଧ୍ୟ ବ୍ୟତିକ୍ରମ ହୋଇଥିବା ଦେଖିବାକୁ ମିଳିଛି। ଯେଉଁ କିଛି ମହିଳା ନିର୍ବାଚନ ପ୍ରକ୍ରିୟାରେ ବିଜୟୀ ହୋଇ ପଦପଦବିରେ ରହିଛନ୍ତି , ସେମାନଙ୍କୁ ଦଳ ପୁଣି ସଂଗଠନରେ ଗୁରୁଦାୟିତ୍ବ ଦେଇଥିବା ରାଜନୈତିକ ମହଲରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି।
