ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଏକ ଭାଷଣରେ କହିଥିଲେ ଯେ, କିଛି ରାଜନୈତିକ ଦଳ ଏବେ ଦୁର୍ନୀତିଗ୍ରସ୍ତ ନେତା ମାନଙ୍କୁ ରକ୍ଷା କରିବାକୁ ପ୍ରୟାସ କରୁଛନ୍ତି । ତେବେ ଏହି ବୟାନକୁ ନେଇ ଏବେ ରାଜନୀତି ସରଗରମ ହୋଇ ଉଠିଛି । ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ଉପରେ ପ୍ରତିକ୍ରିୟା ରଖି ତାଙ୍କୁ କଟାକ୍ଷ କରିଛନ୍ତି । ନୀତିଶ କହିଛନ୍ତି ଯେ, “ମୁଁ କେନ୍ଦ୍ରରେ ବସିଥିବା ଲୋକଙ୍କ କଥାକୁ ଧ୍ୟାନ ଦିଏ ନାହିଁ” । ଏହା ସହ ନିତୀଶ କୁମାର ଅଟଳ ବିହାରୀ ବାଜପେୟୀଙ୍କ ଉଦାହରଣ ଦେଇ କହିଛନ୍ତି ଯେ, ଅଟଳଙ୍କ ସରକାରରେ କାମ କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । ବର୍ତ୍ତମାନର କେନ୍ଦ୍ର ସରକାର ଜାଣିବା ଦରକାର କି ଅଟଳଜୀ କିଭଳି ଭାବେ ସମସ୍ତ ଦଳକୁ ନେଇ କିଭଳି କାମ କରୁଥିଲେ ।
ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ କହିଥିଲେ ଯେ ଭ୍ରଷ୍ଟାଚାରୀଙ୍କ ବରୋଧରେ କାର୍ଯ୍ୟାନୁଷ୍ଠାନ ହେବାରୁ ଏବେ ରାଷ୍ଟ୍ରୀୟ ରାଜନୀତି ଧ୍ରୁବିକରଣ ହୋଇଛି । କିଛି ରାଜନୈତିକ ନେତା ଭ୍ରଷ୍ଟାଚାରୀଙ୍କୁ ସୁରକ୍ଷା ଦେବାକୁ ଏକଜୁଟ ହେବାରେ ଲାଗିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଦୁର୍ନୀତି ଦେଶର ବିକାଶ ଓ ଯୁବକଙ୍କ ହିତରେ ସବୁଠାରୁ ବଡ ବାଧକ ସାଜିଛି । ପ୍ରଧାନମନ୍ତ୍ରୀଙ୍କ ଏଭଳି ବୟାନ ଉପରେ କେବଳ ନିତୀଶ ନୁହଁନ୍ତି ବରଂ ବିହାରର ଉପ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ କହିଛନ୍ତି ଯେ, ବିଜେପିରେ ଏବେ ପାଖା ପାଖି ୧ ହଜାର ବିଧାୟକ ଓ ୩୦୦ ରୁ ଅଧିକ ସାଂସଦ ରହିଛନ୍ତି । ହେଲେ ସିବିଆଇ କି ଇଡି କେବେ କାହିଁକି ସେମାନଙ୍କ ମଧ୍ୟରୁ କାହାରି ଘରେ ଚଢାଉ କରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
