ରାହୁଲ ଗାନ୍ଧୀ ପାକିସ୍ତାନରୁ ‘ଭାରତ ଯୋଡ ଯାତ୍ରା’ ଆରମ୍ଭ କରନ୍ତୁ: ହେମନ୍ତ ବିଶ୍ୱ ଶର୍ମା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଆଜିଠାରୁ ଆରମ୍ଭ ହେଉଛି। ସେପଟେ ଏହି ଯାତ୍ରାକୁ ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା କଂଗ୍ରେସର ଭାରତ ଯୋଡ ଯାତ୍ରାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଯଦି କଂଗ୍ରେସ ଭାରତ ଯୋଡ ଯାତ୍ରା ଆରମ୍ଭ କରିବାକୁ ଚାହୁଁଛି, ତେବେ ଏହା ପାକିସ୍ତାନରୁ ଆରମ୍ଭ ହେବା ଉଚିତ। ସେ ଆହୁରି କହିଛନ୍ତି ଯେ, ସ୍ଵାଧୀନତା ପୂର୍ବରୁ ଭାରତ ଅଖଣ୍ଡ ଥିଲା। ୧୯୪୭ମସିହାରେ ଭାରତ ବିଭାଜିତ ହୋଇଥିଲା। ତେଣୁ ଭାରତରେ ଏହି ଯାତ୍ରାର କୌଣସି ଲାଭ ନାହିଁ। ଏହି ଯାତ୍ରାରେ ରାହୁଲଙ୍କୁ ଅଖଣ୍ଡ ଭାରତ ମଧ୍ୟରେ ଭ୍ରମଣ କରିବାକୁ ପଡିବ। ସେଥିପାଇଁ ଏହାକୁ ପାକିସ୍ତାନରୁ ଆରମ୍ଭ କଲେ ଭଲ ହେବ କହି ସେ କଟାକ୍ଷ କରିଛନ୍ତି। ଭାରତରେ ଏହି ଯାତ୍ରା କରିବାର କିଛି ଅର୍ଥ ନାହିଁ ବୋଲି ସେ କହିଛନ୍ତି।

ଏହି କ୍ରମରେ ତାମିଲନାଡୁର ଭାଜପା ମୁଖ୍ୟ ଅନ୍ନାମଲାଇ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କର ଏହା ଭାରତ ଯୋଡ ନୁହେଁ ଭାରତ ଛାଡ ଯାତ୍ରା। ଯେତେବେଳେ ରାହୁଲ ଗାନ୍ଧୀ ଏହି ଯାତ୍ରା ମାଧ୍ୟମରେ ଦେଶ ଭ୍ରମଣ କରିବେ, ସେତେବେଳେ ସେ ଜାଣିବେ ଯେ ବିଗତ ଆଠ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିପରି ଦେଶରେ ପରିବର୍ତ୍ତନ କରିଛନ୍ତି ଏବଂ ତାଙ୍କ ଆଖି ଖୋଲିଯିବ।

ଏହାକୁ ନେଇ କଂଗ୍ରେସ ମଧ୍ୟ କଡ଼ା ଜବାବ ଦେଇଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଦେଶର ସ୍ବାଧୀନତା ଆନ୍ଦୋଳନରେ ଆରଏସଏସର ଭୂମିକାକୁ ମନେ ପକାଇବାର ଆବଶ୍ୟକତା ରହିଛି। କଂଗ୍ରେସ ସାଂସଦ ମାଣିକାମ ଟାଗୋର କହିଛନ୍ତି ଯେ ଭାଜପା ସତ କହୁଛି, ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନରେ ଆରଏସଏସ ଅଂଶଗ୍ରହଣ କରି ନଥିଲା। ବର୍ତ୍ତମାନ ମହାତ୍ମାଙ୍କୁ ଅନୁସରଣ କରି ଆମର ରାହୁଲ ଭାରତ ଯୋଡ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ଏହାକୁ ନେଇ ଭାଜପା ଚିନ୍ତାରେ ପଡ଼ିଛି। ଭାରତ ଯୋଡ ଯାତ୍ରାକୁ ସହ୍ୟ କରି ନପାରି ଭାଜପା ଏଭଳି ବିଭ୍ରାନ୍ତକାରୀ ମନ୍ତବ୍ୟ ଦେବାରେ ଲାଗିଛି ବୋଲି ସେ କହିଛନ୍ତି।

Related Posts