ବୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାର୍ବଣ ଋତୁରେ ମା’ଙ୍କ ଆଗମନକୁ ନେଇ ପୁଣି ଚଳଚଞ୍ଚଳ ହୋଇ ଉଠିଛି କଟକ ସହର । ତେବେ ପାର୍ବଣ ପୂର୍ବରୁ ସଜାଗ ହୋଇ ଉଠିଛି ସିଏମସି । ଗୁରୁବାର ସିଏମସି ସ୍ବାସ୍ଥ୍ୟ ବିଭାଗ ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ବିଭିନ୍ନ ମିଠା ଦୋକାନ ଉପରେ ସିଏମସି ପକ୍ଷରୁ ଚଢାଉ କରାଯାଇଛି । କଟକର କଲ୍ୟାଣ ନଗର, ଲିଙ୍କ ରୋଡ, ବାଦାମବାଡି ଓ ଦୋଳମୁଣ୍ଡାଇ ଅଞ୍ଚଳରେ ଏହି ଚଢାଉ ଜାରି ରହିଛି ।ମିଠା ଦୋକାନରେ ଅଧିକାରୀମାନେ ପଶି ମିଠା ପ୍ରସ୍ତୁତ ସ୍ଥାନ ପରିଦର୍ଶନ କରିଛନ୍ତି । ମିଠା ପ୍ରସ୍ତୁତିରେ ଆବଶ୍ୟକ ସାମଗ୍ରୀର ମାନ ପରୀକ୍ଷା ମଧ୍ୟ କରିଛନ୍ତି । ତେବେ ଆଗକୁ ଦଶହରା ଥିବାରୁ , ଖାଦ୍ୟର ମାନ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ଚେତାବନୀ ଦିଆଯାଇଛି ।
ସେପଟେ ଅନେକ ଦୋକାନରେ ନିମ୍ନ ଧରଣର ମିଠା ବିକ୍ରି କରାଯାଉଥିବା ବେଳେ ସିଏମସି ହାତରେ ଧରା ପଡ଼ିଛନ୍ତି । ମାନ ପରୀକ୍ଷା ବେଳେ ସତ୍ୟତା ସାମ୍ନାକୁ ଆସିଛି। ଜିଲାପି ବାସୀ ଦୁର୍ଗନ୍ଧ ହେଉଥିବାବେଳେ, ପୁରୁଣା ଶିରାରେ ମିଠା ପ୍ରସ୍ତୁତ କରଯାଉଛି । ସାମ୍ନାରେ ଏ ସମସ୍ତ ଚିତ୍ର ଦେଖିବା ପରେ ସେହି ସମସ୍ତ ଦୋକାନକୁ ସିଏମସି ପକ୍ଷରୁ ସିଲ କରାଯାଇଛି ।
