କେଜ୍ରିୱାଲଙ୍କ ବିରୋଧରେ ଷ୍ଟାମ୍ପ ଡ୍ୟୁଟି ଠକେଇ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ଉପ ରାଜ୍ୟପାଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅରବିନ୍ଦ କେଜ୍ରିୱାଲ ଓ ଦିଲ୍ଲୀ ଉପ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଥମିବାର ନାମ ନେଉନାହିଁ। ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଦିଲ୍ଲୀ ଉପ ରାଜ୍ୟପାଳ ଭି.କେ. ସକ୍ସେନା ଏକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଉପରେ ଷ୍ଟାମ୍ପ ଡ୍ୟୁଟି ଠକେଇ ଅଭିଯୋଗ ରହିଛି। ଏହି ଅଭିଯୋଗ ଉପରେ ଏବେ ଉପ ରାଜ୍ୟପାଳ ପଦକ୍ଷେପ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିବା ତାଙ୍କ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ଏହି ଅଭିଯୋଗକୁ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଲାଗି ପଠାଇ ଦିଆଯାଇଛି।

ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ଉପ ରାଜ୍ୟପାଳଙ୍କ ଅଫିସରୁ ମିଳିଥିବା ପତ୍ର ଅନୁସାରେ ଅରବିନ୍ଦ କେଜରିୱାଲ ୩ଟି ପ୍ଲଟ ୪.୫୪ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ତେବେ କାଗଜରେ ଏହାକୁ ଅଣ୍ଡର ଭାଲ୍ୟୁ (ଅବମୂଲ୍ୟାୟନ) କରି ୭୨.୭୨ଲକ୍ଷ ଟଙ୍କା ଦେଖାଇଛନ୍ତି। ପତ୍ରରେ କେଜରିୱାଲ ଏହି ପ୍ଲଟ ଗୁଡିକୁ ପତ୍ନୀ ସୁନିତା କେଜରିୱାଲଙ୍କ ମାଧ୍ୟମରେ ବିକ୍ରି କରିଛନ୍ତି। ଯାହାର ବଜାର ଦର ପ୍ରତି ସ୍କୋୟାର ୟାର୍ଡ ୪୫ହଜାର ଟଙ୍କା ଥିଲା। ତେବେ କିଣା-ବିକା କାଗଜରେ ପ୍ରତି ସ୍କୋୟାରୟାର୍ଡ ଦର ୮ହଜାର ୩୦୦ ଟଙ୍କା ଦର୍ଶା ଯାଇଛି ବୋଲି ଉଲ୍ଲେଖ ରହିଛି।ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ବିରୋଧରେ ଏଲଜିଙ୍କୁ ଏହି ଅଭିଯୋଗ ଗତ ଅଗଷ୍ଟ ୨୮ ତାରିଖରେ ମିଳିଥିଲା। ଦିଲ୍ଲୀ ଲୋକାୟୁକ୍ତଙ୍କ ଜରିଆରେ ଏହି ଅଭିଯୋଗର ତଦନ୍ତ କରିବା ପାଇଁ ନିବେଦନ କରାଯାଇଥିଲା। ଅଭିଯୋଗ ଅନୁସାରେ କେଜରିୱାଲ ରାଜକୋଷକୁ ଷ୍ଟାମ୍ପ ଡ୍ୟୁଟିରେ ୨୫.୯୩ ଲକ୍ଷ ଟଙ୍କା ଓ କ୍ୟାପିଟାଲ ଗେନ ଟ୍ୟାକ୍ସରେ ୭୬.୪ ଲକ୍ଷ ଟଙ୍କା ଠକେଇ କରିଛନ୍ତି। ଏଲଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ପଠାଯିବା ଏକ ନୂଆ ବିବାଦର ଏବେ ସୂତ୍ରପାତ କରିବ ବୋଲି ଏବେ କୁହାଯାଉଛି।

Related Posts