ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତୀୟ ଜନତା ପାର୍ଟି କଂଗ୍ରେସର ଭାରତ ଯୋଡ ଯାତ୍ରା ନେଇ ଲଗାତାର ଟାର୍ଗେଟ କରି ଆସୁଛି। ଏହାସହିତ ଦଳ ଏବେ ରାହୁଲ ଗାନ୍ଧୀଙ୍କୁ ଘେରିବା ଆରମ୍ଭ କରିଛି। ଏହି ଯାତ୍ରା ସମ୍ପର୍କରେ ଭାଜପା ନେତାଙ୍କ ଭିନ୍ନ ଭିନ୍ନ ବିବୃତ୍ତି ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମରେ ଭାଜପା ନେତା ଶାହାଜାଦ ପୁନାୱାଲା ଭାରତ ଯୋଡ ଯାତ୍ରା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଏହାକୁ ରାହୁଲଙ୍କ ଘୃଣା ଯୋଡ ଅଭିଯାନ ବୋଲି କହିଛନ୍ତି।ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଉପରେ କଟାକ୍ଷ କରି ପୁନାଓ୍ବାଲା କହିଛନ୍ତି ଯେ ଆଜି କଂଗ୍ରେସ ଜର୍ଜ ପୋନ୍ନେୟାଙ୍କୁ ଭାରତ ଯୋଡ ଯାତ୍ରାର ପୋଷ୍ଟର ବୟ କରିଛି। ପୋନ୍ନେୟା ହିନ୍ଦୁମାନଙ୍କୁ ଧମକ ଦେବା ସହ ସବୁବେଳେ ଭାରତ ମାତା ବିରୁଦ୍ଧରେ ଅପମାନଜନକ ଶବ୍ଦ କହିଥାନ୍ତି। ହିନ୍ଦୁ ବିରୋଧୀ ହେବାର କଂଗ୍ରେସ ଦଳର ଦୀର୍ଘ ବର୍ଷର ଇତିହାସ ରହିଛି। ଏଭଳି କରି ରାହୁଲ ଘୃଣା ଯୋଡ ଅଭିଯାନରେ ନିୟୋଜିତ ଅଛନ୍ତି।
ସୂଚନାଯୋଗ୍ୟ, ପୋନ୍ନେୟା ଜଣେ ପାଦ୍ରୀ। ବହୁ ବିବାଦୀୟ ବକ୍ତବ୍ୟ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ଗତ ବର୍ଷ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ତେବେ ଭାରତ ଯୋଡ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ସହ ପୋନ୍ନେୟା ଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ପୋନ୍ନେୟା ଯୀଶୁଙ୍କୁ ପ୍ରକୃତ ଈଶ୍ବରଙ୍କୁ କହୁଛନ୍ତି । ଏହାକୁ ନେଇ ବିଜେପି ଏବେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି।





