ନୂଆଦିଲ୍ଲୀ: ଆଖି ବୁଜିଲେ ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ରାଜନେତା ଉପ୍ପଲପତି ଭେଙ୍କଟ କ୍ରିଷ୍ଣମ୍‌ ରାଜୁ । ଆଜି ପାହାନ୍ତା‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ହୃଦ୍‌ଘାତ ଯୋଗୁଁ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ‘ରିବେଲ୍‌ ଷ୍ଟାର୍‌’ ଭାବେ ସୁପରିଚିତ କ୍ରିଷ୍ଣମ୍‌ରାଜୁ ଉଭୟ ଚଳଚ୍ଚିତ୍ର ଓ ରାଜନୈତିକ କ୍ୟାରିୟର୍‌ରେ ଗୌରବାନ୍ବିତ ହୋଇଥିଲେ।

ଅଭିନେତା ପ୍ରଭାସଙ୍କ ବଡ଼ବାପା କ୍ରିଷ୍ଣମ୍‌ ରାଜୁ ହାଇଦ୍ରାବାଦ ଅନ୍ତର୍ଗତ ଗାଚିବୌଲିସ୍ଥିତ ‘ଏଆଇଜି ହସ୍ପିଟାଲ୍‌ସ୍‌’ରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ପାହାନ୍ତା ୩.୨୫ ମିନିଟ୍‌ରେ ମୃତ୍ୟୁବରଣ କରିଥିବା ରିପ‌ୋର୍ଟ ହୋଇଛି।

ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ମୋଗାଲତୁରରେ ୧୯୪୦ ଜାନୁଆରି ୨୦ ଜନ୍ମିତ ରାଜୁ ଶିକ୍ଷା ସମାପ୍ତି କରି କିଛି ଦିନ ପାଇଁ ସାମ୍ବାଦିକ ଭାବେ କାର୍ଯ୍ୟ କରିଥିଲେ। ପରେ ୧୯୬୬ ମସିହାରେ ‘ଚିଲକା ଗୋରିଙ୍କା’ ଚଳିଚ୍ଚିତ୍ରରେ ନାୟକ ଭୂମିକାରେ ଅଭିନୟ କରି ସେ ଚଳଚ୍ଚିତ୍ର ଶିଳ୍ପରେ ପ୍ରବେଶ କରିଥିଲେ। ଖଳନାୟକ ଭୂମିକା ପାଇଁ ମଧ୍ୟ ସେ ଖୁବ୍‌ ଜନପ୍ରିୟ ଥିଲେ।

ଉତ୍କୃଷ୍ଟ ଅଭିନୟ ନିମନ୍ତେ ସେ ୧୯୭୭ ଏବଂ ୭୮ରେ ରାଷ୍ଟ୍ରପତି ପୁରସ୍କାର ଏବଂ ୧୯୭୭ ଓ ୧୯୮୪ରେ ‘ନନ୍ଦୀ’ ପୁରସ୍କାର ପାଇଥିଲେ। ‘ଅମରଦୀପମ୍‌’ (୧୯୭୭), ‘ବୋବ୍ବିଲି ବ୍ରାହ୍ମନ୍ନା’ (୧୯୮୪), ‘ଧର୍ମ୍ମାତମୁଡୁ’ (୧୯୮୩) ଏବଂ ‘ତନ୍ଦ୍ରା ପାପାରାୟୁଦୁ’ (୧୯୮୬) ଚଳଚ୍ଚିତ୍ର ନିମନ୍ତେ ସେ ୪ଥର ‘ଫିଲ୍ମଫେୟାର୍‌ ପୁରସ୍କାର’ ପାଇଥିଲେ। ଏହାଛଡ଼ା, ୨୦୦୬ରେ ସେ ‘ଫିଲ୍ମଫେୟାର୍‌ ସାଉଥ୍‌ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ୍‌ ଆୱାର୍ଡ’ ମଧ୍ୟ ପାଇଥିଲେ।

ତାଙ୍କୁ ସୁନାମ ଓ ପ୍ରସିଦ୍ଧି ଦେଇଥିବା ‘ଭକ୍ତ କନ୍ନାପ୍ପା’ ଏବଂ ‘ବୋବ୍ବିଲି ବ୍ରାହ୍ମନ୍ନା’ ଚଳଚ୍ଚିତ୍ର ଆଜି ମଧ୍ୟ ଜନପ୍ରିୟ। ବିଦ୍ରୋହୀ ଭୂମିକାରେ ଅଭିନୟ କରି ସେ ‘ରିବେଲ୍‌ ଷ୍ଟାର୍‌’ ବା ‘ବିଦ୍ରୋହୀ ଅଭିନେତା’ ଆଖ୍ୟା ପାଇଥିଲେ।

ରାଜନୀତିରେ ଯୋଗ ଦେବା ପରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଶାସନକାଳରେ କେନ୍ଦ୍ରମନ୍ତ୍ରୀ ଥିଲେ।