ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗତ ମଧ୍ୟରାତ୍ରରେ ‘ତୃଣମୂଳ କଂଗ୍ରେସ’ର ଜାତୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ଶାଳୀ ମେନକା ଗମ୍ଭୀର ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ହେଲେ ସେ ସମୟରେ କାର୍ଯ୍ୟାଳୟରେ ତାଲା ପଡ଼ିଥିବା ଦେଖିଥିଲେ। କୋଇଲା ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ତାଙ୍କୁ ୧୨.୦୯.୨୨ ପୂର୍ବାହ୍ନ ୧୨.୩୦ (ରାତି ଅଧ ପରେ) ଇଡି କାର୍ଯ୍ୟାଳୟରେ ହାଜର ହେବାପାଇଁ ସମନ୍ ଆସିଥିବା ନୋଟିସ୍ରେ ଉଲ୍ଲେଖ ଥିଲା। ସେହି ଅନୁସାରେ, ନିଜ ଓକିଲଙ୍କୁ ସାଥିରେ ନେଇ ଗମ୍ଭୀର ରାତି ପ୍ରାୟ ୧୩.୩୦ରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଅଫିସ୍ରେ ପହଞ୍ଚିଥିଲେ, ହେଲେ ସେଠାରେ ପହଞ୍ଚି ଅଫିସ୍ ବନ୍ଦ ଏବଂ ସେଠାରେ କୌଣସି କର୍ମଚାରୀ ଉପସ୍ଥିତ ନଥିବା ଦେଖିଥିଲେ। ସେ ଅପେକ୍ଷା କରି କରି ଶେଷରେ ସେଠାରୁ ଫେରିଥିଲେ ମଧ୍ୟ ‘ଇଡି’ର କୌଣସି କର୍ମଚାରୀଙ୍କର ଦେଖା ମିଳି ନଥିଲା।
ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ବିଦେଶ ଯାତ୍ରାରେ ବାହାରି ଥିବା ମେନକା ଗମ୍ଭୀରଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଅଟକାଇବା ସହିତ ‘ମନି ଲଣ୍ଡରିଙ୍ଗ୍’ ମାମଲାର ତଦନ୍ତରେ ସାମିଲ ହେବା ପାଇଁ ଜାରି କରାଯାଇଥିବା ସମନ୍ ତାଙ୍କୁ ଦେଇଥିଲେ। ବ୍ୟାଙ୍ଗକକ୍ ଯିବା ପାଇଁ ଗମ୍ଭୀର ରାତି ପ୍ରାୟ ୯ଟା ବେଳେ ଛାଡୁଥିବା ବିମାନ ଆରୋହଣ କରିବା ଲାଗି ବିମାନ ବନ୍ଦରରେ ପହଞ୍ଚିଥିଲେ। ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କ ନାମରେ ‘ଲୁକ୍ ଆଉଟ୍ ସର୍କ୍ୟୁଲାର୍’ ଜାରି କରିଥିବାରୁ ତାଙ୍କୁ ‘ଇମିଗ୍ରେସନ୍ କ୍ଲିଅରାନ୍ସ୍’ ମିଳି ନଥିବା ରବିବାର ଦିନ ଏକ ବିଶେଷସୂତ୍ରରୁ ଜଣାପଡ଼ିଥିଲା। ‘ଇମିଗ୍ରେସନ୍ ଅଥରିଟି’ ତାଙ୍କୁ ବିମାନ ବନ୍ଦରରେ ଅଟକାଇ ‘ପ୍ରବର୍ତ୍ତନ ନିର୍ଦେଶାଳୟ’କୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଅଧିକାରୀମାନେ ବିମାନ ବନ୍ଦରରେ ପହଞ୍ଚି ତାଙ୍କ ସହିତ ଆଲୋଚନା କରିଥିଲେ ଓ ତାଙ୍କ ଯାତ୍ରା ଅନୁମତିକୁ ନାମଞ୍ଜୁର କରିଥିଲେ।