ଚେନ୍ନାଇ: ପୁଣି ଥରେ ବିବାଦୀୟ ବୟାନ ଦେଲେ ତାମିଲନାଡୁ ସାଂସଦ ଏ ରାଜା । ଏଥର ସେ ହିନ୍ଦୁ ଏବଂ ଅଛୁଆଁକୁ ନେଇ ଟିପ୍ପଣୀ କରିଛନ୍ତି । ବିଜେପି ଏହି ମାମଲାରେ ଏକ ଭିଡିଓ ସେୟାର କରିଛି । ଏହାସହ ଡିଏମସି ଉପରେ ତୁଷ୍ଟିକରଣ ରାଜନୀତର ଅଭିଯୋଗ ଆଣିଛି । ଏ.ରାଜା ରାଜ୍ୟର ଶାସନରେ ଥିବା ଡିଏମକେର ସାଂସଦ । ପୂର୍ବରୁ ସେ ଅନେକ ବିବାଦୀୟ ଟିପ୍ପଣୀ ଏବଂ ୨ଜି ସ୍କାମ ପରି ମାମଲାରେ ଜଡିତ ଅଛନ୍ତି ।

ରାଜ୍ୟ ବିଜେପି ଅଧ୍ୟକ୍ଷ ଅନ୍ନାମଲାଇ ଟ୍ୱିଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଭିଡିଓରେ ଡିଏମକେ ସାଂସଦ ଏକ କାର୍ଯ୍ୟକ୍ରମରେ ହିନ୍ଦୁତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି । ଭିଡିଓ ଅନୁସାରେ, ରାଜା କହୁଛନ୍ତି, ‘ତୁମେମାନେ ସେ ଯାଏଁ ଶୁଦ୍ର, ଯେ ପର୍ଯ୍ୟନ୍ତ ତୁମେ ହିନ୍ଦୁ । ତୁମେମାନେ ସେହି ପର୍ଯ୍ୟନ୍ତ ବେଶ୍ୟାଙ୍କ ପୁଅ, ଯେଉଁ ଯାଏଁ ଶୁଦ୍ର ଅଛ । ଆପଣ ସେ ପର୍ଯ୍ୟନ୍ତ ଦଳିତ, ଯେ ଯାଏଁ ହିନ୍ଦୁ ଅଛନ୍ତି । ଯେଉଁ ଦିନ ଯାଏଁ ଆପଣ ହିନ୍ଦୁ, ସେ ଯାଏଁ ଅଛୁଆଁ’।

ଭିଡିଓରେ ସେ ସୁପ୍ରିମକୋର୍ଟଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଡିଏମକେ ସାଂସଦ କହିଛନ୍ତି, ‘ସୁପ୍ରିମକୋର୍ଟଙ୍କ କହିବା ଅନୁସାରେ ଯଦି ଆପଣ ଇସାଇ, ମୁସଲିମ କିମ୍ୱା ପାରସୀ ନୁହନ୍ତି ତେବେ ଆପଣ ହିନ୍ଦୁ ହେବେ। ଅନ୍ୟ ଦେଶରେ କଣ ଏପରି ଅତ୍ୟାଚାର ଦେଖିଛନ୍ତି’। ସନାତନ ଧର୍ମଙ୍କୁ ଚ୍ୟାଲେଞ୍ଜ କରି ଜାତିବାଦ ପ୍ରସଙ୍ଗରେ ଅଧିକ ମୁଖର ହେବାକୁ ଆହ୍ୱାନ ଦେଇଛନ୍ତି ।