ବ୍ରହ୍ମପୁର : ବ୍ରହ୍ମପୁର ଲାଞ୍ଜିପଲ୍ଲି ବାଇପାସ୍‌ରେ ଗଞ୍ଜେଇ କାରବାରକୁ ନେଇ ଚଢାଉ ସମୟରେ ଗାଡିରୁ ମିଳିଲା ପୁଳା ପୁଳା ଟଙ୍କା । ଏକ ଘରୋଇ ବସରୁ ଲକ୍ଷାଧିକ ଟଙ୍କା ମିଳିଛି । ଏହି ଟଙ୍କାକୁ ଅବକାରୀ ବିଭାଗ ବୈଦ୍ୟନାଥପୁର ପୁଲିସକୁ ହସ୍ତାନ୍ତର କରିଛି ।

ଖବର ପାଇ ଅବକାରୀ ବିଭାଗ ବ୍ରହ୍ମପୁରରୁ ଭୁବନେଶ୍ବର ଯାଉଥିବା ଏକ ଘରୋଇ ବସ୍‌ ଉପରେ ଚଢାଉ କରିଥିଲା । ଏହି ସମୟରେ ୩୨ ଲକ୍ଷ ଟଙ୍କା ଜବତ କରାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି । ଅଟକ ଯୁବକ ଜଣକ ପଶ୍ଚିମବଙ୍ଗର ବୋଲି ଅବକାରୀ ବିଭାଗର ଅଧିକାରୀ କହିଛନ୍ତି । ଯୁବକ ଜଣକ କେତେବେଳେ ସୁନା ବ୍ୟବସାୟ ତ କେତେବେଳେ ଅନ୍ୟ କିଛି ବ୍ୟବସାୟ କରୁଥିବା କହି ଫାଙ୍କିବାକୁ ଚେଷ୍ଟା କରିଥିଲା । ସନ୍ଦେହ ହେବାରୁ ଅଭିଯୁକ୍ତକୁ ପୁଲିସକୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀ ହୃଦୟାନନ୍ଦ ସାମନ୍ତ।