ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୋଆ କଂଗ୍ରେସକୁ ଲାଗିଛି ଏକ ବଡ ଝଟକା। ଦଳର ୮ ଜଣ ବିଧାୟକ ବିଜେପିରେ ସାମିଲ୍ ହୋଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କମାତ ଓ ବିରୋଧୀ ଦଳର ନେତା ମାଇକେଲ୍ ଲୋବଙ୍କ ସମେତ ୮ ବିଧାୟକ ବିଜେପି ସହ ଯୋଡ଼ି ହୋଇଛି। ରାଜ୍ୟରେ କଂଗ୍ରେସର ୧୧ ଜଣ ବିଧାୟକ ଥିଲେ ଏବେ ଦଳର ମାତ୍ର ୩ ଜଣ ବିଧାୟକ ରହିଲେ। ଏହି ମିଶ୍ରଣ ନେଇ ମାଇକଲେ୍ ଲୋବ ଗଣମାଧ୍ୟମରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସାମର୍ଥ୍ୟକୁ ଦୃଢ଼ କରିବାକୁ ଆମେ ଏପରି ନିଷ୍ପତ୍ତି ନେଇଛୁ। ଏହା ସହିତ ‘କଂଗ୍ରେସ ଛାଡ, ବିଜେପି ଯୋଡ଼’ ସ୍ଲୋଗାନ ମଧ୍ୟ ଦେଇଛନ୍ତି।ଏହି ବିଧାୟକମାନେ ଦଳ ଛାଡ଼ିବା ସହ ସେମାନଙ୍କ ମିଶ୍ରଣ ପତ୍ରକୁ ବିଧାନସଭାରେ ଦାଖଲ କରିଛନ୍ତି। କଂଗ୍ରେସର ବିଧାୟକମାନେ ଦଳ ଛାଡ଼ି ବିଜେପିରେ ମିଶିବା ପରେ ବିଜେପି ମୁଖପାତ୍ର ସେହଜାଦ୍ ପୁନାୱାଲା ଟ୍ବିଟ୍ କରି ‘ଗୋ ଗୋଆ ଗନ୍’ ବୋଲି ଲେଖିଛନ୍ତି।
ବିଜେପିରେ ଯୋଗ ଦେଇଥିବା ବିଧାୟକମାନେ ହେଉଛନ୍ତି ଦିଗମ୍ବର କମାତ, ମାଇକେଲ୍ ଲୋବ, ଦଲିଲା ଲୋବ, ରାଜେଶ ଫଲଦେଶାଇ, କେଦାର ନାୟକ, ସଂକଳ୍ପ ଆମୋନକର୍, ଆଲେଇକ୍ସୋ ସିକେରା ଓ ରୁଡୋଲ୍ଫ ଫର୍ଣ୍ଣାଡିଜ୍। ସେମାନେ ବିଜେପିରେ ମିଶିବା ପରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାୱନ୍ତଙ୍କୁ ଭେଟିଛନ୍ତି।
ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାୱନ୍ତ ଏନେଇ ଏକ ଟ୍ବିଟ୍ କରି ଲେଖିଛନ୍ତି ଯେ, ‘ବିଜେପିରେ ଯୋଗ ଦେଇଥିବା ୮ ବିଧାୟକଙ୍କୁ ମୁଁ ସ୍ବାଗତ କରୁଛି। କଂଗ୍ରେସ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଛି। କିନ୍ତୁ ମୋତେ ଲାଗୁଛି ଗୋଆରେ କଂଗ୍ରେସ ଛାଡ଼ ଯାତ୍ରା ଆରମ୍ଭ ହୋଇଯାଇଛି।’





