ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୋଆରେ କଂଗ୍ରେସ ଛାଡ଼ିଥିବା ୮ ଜଣ ବିଧାୟକଙ୍କୁ କଟାକ୍ଷ କରିଛନ୍ତି କଂଗ୍ରେସ ସାଂସଦ ଜୟରାମ ରମେଶ। କେରଳରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଜୟରାମ ରମେଶ କହିଛନ୍ତି ଯେ, ଏହି ୮ ଜଣ ବିଧାୟକ ବିଜେପିର ୱାଶିଂ ମେସିନକୁ ଯାଇଛନ୍ତି । ସେମାନେ ହେଉଛନ୍ତି ସବୁଠାରୁ ଦୁର୍ନୀତିଗ୍ରସ୍ତ। କିନ୍ତୁ ବର୍ତ୍ତମାନ ସେମାନେ ବିଜେପିର ୱାଶିଂ ମେସିନରେ ପ୍ରବେଶ କରିଛନ୍ତି, ଏବେ ସେମାନେ ମୋ କୁର୍ତ୍ତା ପରି ଧଳା ହୋଇଯିବେ। କଂଗ୍ରେସ ଛାଡୁଥିବା ନେତାଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ, ସାଧାରଣତଃ ଦୁଇ ପ୍ରକାରର ଲୋକ କଂଗ୍ରେସ ଛାଡୁଛନ୍ତି । ପ୍ରଥମ ବର୍ଗରେ ଲୋକମାନେ ହେଉଛନ୍ତି ଯେଉଁମାନେ ପାର୍ଟିରୁ ସବୁକିଛି ପାଇଛନ୍ତି ।ଯେପରି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ । ସେ ଯୁବ କଂଗ୍ରେସ ସଭାପତି ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପଦ ସବୁକିଛି କଂଗ୍ରେସ ରୁ ପାଇଥିଲେ ।
ସେ ଆହୁରି କହିଛନ୍ତି ଯେ, ଦ୍ଵିତୀୟ ବର୍ଗ ହେଉଛନ୍ତି ସେମାନେ ଯେଉଁମାନେ ତଦନ୍ତକାରୀ ସଂସ୍ଥାର ଅଧୀନରେ ଅଛନ୍ତି। ସେ ଯାଇ ବିଜେପିରେ ଯୋଗ ଦେଉଛନ୍ତି। ସେମାନେ ବିଜେପିରେ ଯୋଗଦେବା ମାତ୍ରେ ସେମାନଙ୍କୁ କ୍ଲିନ୍ ଚିଟ୍ ମିଳିଯାଉଛି । ଆସାମର ମୁଖ୍ୟମନ୍ତ୍ରୀଙ୍କୁ ଦେଖନ୍ତୁ, ଏହାର ଏକ ଉତ୍କୃଷ୍ଟ ଉଦାହରଣ । ତାଙ୍କ ବିରୋଧରେ ଗୋଟିଏ ବି ମାମଲା ନାହିଁ। କିନ୍ତୁ ଯେତେବେଳେ ସେ କଂଗ୍ରେସରେ ଥିଲେ, ବିଜେପି ତାଙ୍କୁ ପ୍ରତିଦିନ ଟାର୍ଗେଟ କରୁଥିଲା । ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏବଂ ବିଜେପି ସମ୍ପୂର୍ଣ୍ଣ ନିରବ ରହିଛି। କଂଗ୍ରେସ ସାଂସଦ କହିଛନ୍ତି ଦଳ ଛାଡିଥିବା ଗୋଆ ବିଧାୟକମାନେ ମଧ୍ୟ ସମାନ ପ୍ରକାରର।
ସୂଚନାଯୋଗ୍ୟ ଯେ, କଂଗ୍ରେସ ସେପ୍ଟେମ୍ବର ୭ରୁ କନ୍ୟାକୁମାରୀରୁ ଭାରତ ଯୋଡ ଯାତ୍ରା ଆରମ୍ଭ କରିଛି । ଯାହା ଉପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ପ୍ରଶ୍ନ ଉଠାଉଥିଲେ । ଏହି ଯାତ୍ରା ପାକିସ୍ତାନରେ କରିବାକୁ ଆସାମ ମୁଖ୍ୟମନ୍ତ୍ରୀ କଂଗ୍ରେସକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ଜୟରାମ ରମେଶ ଉତ୍ତର ଦେଇ କହିଛନ୍ତି ହିମନ୍ତ ବିଶ୍ୱ ଶର୍ମାଙ୍କୁ ବିଜେପି ପ୍ରତି ତାଙ୍କର ଆନ୍ତରିକତା ପ୍ରମାଣ କରିବାକୁ ପ୍ରତିଦିନ କିଛି ଅପମାନଜନକ କଥା କହିବାକୁ ପଡିବ।





