କଂଗ୍ରେସ ଯୋଗୁ ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦୀ: ଅସଦୁଦ୍ଦିନ ଓୱେସି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଅସଦୁଦ୍ଦିନ ଓୱେସିଙ୍କ ଏଆଇଏମଆଇଏମ୍‌ । ଏନେଇ ଆଜି ନିଜେ ଅସଦୁଦ୍ଦିନ ଓୱେସି ଘୋଷଣା କରିଛନ୍ତି। ଗୁରୁବାର ସେ ରାଜସ୍ଥାନର ଝୁଞ୍ଜୁନୁରେ ପହଞ୍ଚି ରାଜ୍ୟରେ ନିଜର ରାଜନୈତିକ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହାସହିତ ରାଜ୍ୟରେ ଶାସନରେ ଥିବା କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି। କଂଗ୍ରେସ ଯୋଗୁ ନରେନ୍ଦ୍ର ମୋଦି ଦୁଇଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ସେ କହିଛନ୍ତି।ଓୱେସି କହିଛନ୍ତି, ରାଜସ୍ଥାନରେ କଂଗ୍ରେସ ସରକାର ଲୋକଙ୍କୁ ପ୍ରତାରଣା କରୁଛି। କରୌଲିରେ ଦଙ୍ଗା ହୋଇଥିଲା କିନ୍ତୁ ରାଜ୍ୟର ମୁଖ୍ୟମନ୍ତ୍ରୀ ସେଠାକୁ ଯାଇ ନ ଥିଲେ। ରାଜ୍ୟରେ ମୁଦ୍ରାସ୍ଫୀତି ସର୍ବାଧିକ ବୋଲି କହି ସେ କଂଗ୍ରେସର ଅଶୋକ ଗେହଲତ ସରକାରକୁ ଟାର୍ଗେଟ କରିଛନ୍ତି।

ଓୱେସି ଆହୁରି କହିଛନ୍ତି ଯେ, ରାଜସ୍ଥାନରେ କେବଳ ଦୁଇଟି ସ୍ଲୋଗାନ ଉଠା ଯାଇପାରିବ ଗୋଟିଏ ରାଜୀବ ଗାନ୍ଧୀ ଏବଂ ଅନ୍ୟଟି ଅଶୋକ ଗେହଲୋଟ। ଯଦି ରାଜ୍ୟରେ ଆଉ କିଛି ସ୍ଲୋଗାନ ଦିଆଯାଏ ତାହେଲେ ପୋଲିସ ମାମଲା ରୁଜୁ କରିବ ବୋଲି କଂଗ୍ରେସ ନେତା ମାନେ କହି ଡରାଉଥିବା ସେ କହିଛନ୍ତି। ରାଜ୍ୟରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ କବାଡି ମ୍ୟାଚ ଚାଲିଛି। ପାଞ୍ଚ ବର୍ଷ ତୁମେ, ପାଞ୍ଚ ବର୍ଷ ଆମେ। ଯଦି ଭାଜପା ଆଗକୁ ବଢୁଛି, ଏଥିପାଇଁ କଂଗ୍ରେସର ସମର୍ଥନ ରହିଛି। ଏଣୁ ଆମକୁ ତୃତୀୟ ଶକ୍ତି ଖୋଜିବାକୁ ପଡିବ ବୋଲି ଓୱେସି କହିଛନ୍ତି।

Related Posts