ନୂଆଦିଲ୍ଲୀ: ଥରିଲା ଲଦ୍ଦାଖ | ଭୋର ୪ଟା ୧୯ରେ ଅନୁଭୂତ ହୋଇଛି ଭୂମିକମ୍ପ ଝଟକା | ଭୂମିକମ୍ପ ବିଜ୍ଞାନ କେନ୍ଦ୍ରର ଅନୁମାନ ଅନୁସାରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୮ ଥିଲା । ସୂଚନା ଅନୁସାରେ ଭୂମିକମ୍ପର କେନ୍ଦ୍ର ଅଲଚୀ (ଲେହ)ର ଉତ୍ତରରେ ୧୮୯ କିଲୋମିଟରରେ ଥିଲା ଏବଂ ଏହା ଭୂମିରେ ୧୦ କିଲୋମିଟର ତଳେ ଥିଲା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଭୂମିକମ୍ପ ଦ୍ୱାରା କୌଣସି କ୍ଷୟକ୍ଷତି ଘଟି ନ ଥିବା ଜଣାଯାଇଛି ।

ଏହା ପୂର୍ବରୁ ମିଜୋରାମର ଚମ୍ଫାଇରେ ରାତି ୧୨ଟା ୫୦ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଥିଲା । ଭୂମିକମ୍ପର କେନ୍ଦ୍ର ଚମ୍ଫାଇର ପୂର୍ବରେ ୫୦ କିଲୋମିଟର ଦୂରରେ ଥିଲା ଏବଂ ଏହାର ଗଭୀରତା ଭୂପୃଷ୍ଠରୁ ୧୩ କିଲୋମିଟର ତଳକୁ ଥିଲା ।

ପୂର୍ବରୁ ମଧ୍ୟ ଗତ ଅଗଷ୍ଟ ୨୫-୨୬ ରାତିରେ ଜମ୍ମୁ କଶ୍ମୀରରୁ ଆରମ୍ଭ କରି ମହାରାଷ୍ଟ୍ର ପର୍ଯ୍ୟନ୍ତ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଆଫଗାନିସ୍ତାନରେ ମଧ୍ୟ ସେହିଦିନ ଭୂମିକମ୍ପ ଅନୁଭୂତ ହୋଇଥିଲା । ମାତ୍ର ମହାରାଷ୍ଟ୍ର ଓ ଜମ୍ମୁ କଶ୍ମୀର ହେଉ କି ଆଫଗାନିସ୍ତାନର କୌଣସି ସ୍ଥାନରେ କ୍ଷୟକ୍ଷତି ହୋଇ ନ ଥିଲା ।