ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୨ ତମ ଜନ୍ମଦିନ। ଏହାକୁ ନିଆରା ଢଙ୍ଗରେ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ଜନତା ପାର୍ଟିର ତାମିଲନାଡୁ ଶାଖା। ଏହି ଦିନ ତାମିଲନାଡୁ ବିଜେପି ଶାଖା ନବଜାତ ଶିଶୁମାନଙ୍କୁ ସୁନା ମୁଦି ବଣ୍ଟନ କରିବ । ଏହା ବ୍ୟତୀତ ୭୨୦ କିଲୋଗ୍ରାମ ମାଛ ବଣ୍ଟନ କରି ଅନ୍ୟାନ୍ୟ ଯୋଜନା ଅଛି ।ଏନେଇ ଚେନ୍ନାଇର ସରକାରୀ ଆରଏସଆରଏମ ହସ୍ପିଟାଲକୁ ଆମେ ଚିହ୍ନଟ କରିଛୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଏହି ହସ୍ପିଟାଲରେ ଜନ୍ମ ହୋଇଥିବା ସମସ୍ତ ଶିଶୁଙ୍କୁ ସୁନା ମୁଦି ଦିଆଯିବ ବୋଲି ନିଷ୍ପତ୍ତି ନେଇଛୁ ବୋଲି ମତ୍ସ୍ୟ ପାଳନ ଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଏଲ ମୁରୁଗାନ କହିଛନ୍ତି ।

ଏଥିପାଇଁ ଖର୍ଚ୍ଚ ବିଷୟରେ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏଲ୍ ମୁରୁଗାନ୍ କହିଛନ୍ତି ଯେ, ବଣ୍ଟନ ହେବାକୁ ଥିବା ମୁଦି ପ୍ରାୟ ୨ ଗ୍ରାମ ରହିବ ଯାହାର ମୂଲ୍ୟ ପ୍ରାୟ ୫୦୦୦ ଟଙ୍କା ହେବ । ପାର୍ଟିର ସ୍ଥାନୀୟ ୟୁନିଟ୍ ସେହି ଦିନ ସ୍ୱତନ୍ତ୍ର ଡାକ୍ତରଖାନାରେ ପ୍ରାୟ ୧୦-୧୫ ପ୍ରସବ ହେବାର ଆକଳନ କରିଛି । ମନ୍ତ୍ରୀ ଏନେଇ କହିଛନ୍ତି ଯେ ଏହା ଏକ ଫ୍ରିବି ନୁହେଁ । ଆମେ କେବଳ ସେହି ଦିନ ଜନ୍ମ ହୋଇଥିବା ପିଲାମାନଙ୍କୁ ସ୍ୱାଗତ କରି ଆମର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରୁଛୁ ।