ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନାମିବିଆରୁ ଭାରତ ଆସୁଥିବା ଆଠଟି ଚିତା ଶନିବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ମୁକ୍ତ ହେବେ। ଏହା ପୂର୍ବରୁ ଏହି ପ୍ରସଙ୍ଗରେ ଶ୍ରେୟ ନେବା ପାଇଁ ଟଣା ଓଟରା ଆରମ୍ଭ ହୋଇଛି। ଶୁକ୍ରବାର ଦିନ କଂଗ୍ରେସ ଦାବି କରି କହିଛି ଯେ, ମନମୋହନ ସିଂଙ୍କ ସରକାର ସମୟରେ ‘ପ୍ରୋଜେକ୍ଟ ଚିତା’ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା, କିନ୍ତୁ ସୁପ୍ରିମକୋର୍ଟଙ୍କ ରୋକ କାରଣରୁ ଏହି ପ୍ରୋଜେକ୍ଟକୁ ଏତେ ସମୟ ଲାଗିଗଲା। କଂଗ୍ରେସ ଟ୍ୱିଟ୍ କରି କହିଛି ଯେ, ୨୦୦୮-୦୯ ମସିହାରେ ‘ପ୍ରୋଜେକ୍ଟ ଚିତା’ ପାଇଁ ପ୍ରସ୍ତାବ ପ୍ରସ୍ତୁତ କରାଯାଇଥିଲା। ମନମୋହନ ସିଂଙ୍କ ସରକାର ଏହାକୁ ଅନୁମୋଦନ କରିଥିଲେ। ଏପ୍ରିଲ୍ ୨୦୧୦ ରେ ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଜୟରାମ ରମେଶ ଜି ଆଫ୍ରିକାର ଚିତା ଆଉଟ ରିଚ୍ ସେଣ୍ଟରକୁ ଯାଇଥିଲେ। ଦଳ ଆହୁରି ମଧ୍ୟ କହିଛି ଯେ ୨୦୧୩ରେ ସୁପ୍ରିମକୋର୍ଟ ଏହି ପ୍ରକଳ୍ପ ଉପରେ ପ୍ରତିବନ୍ଧକ ଲଗାଇଥିଲେ, ୨୦୨୦ରେ ଏହି ପ୍ରତିବନ୍ଧକ ହଟାଯାଇଥିଲା।
ସୂଚନାଯୋଗ୍ୟ ଯେ, ଶନିବାର ନାମିବିଆରୁ ଭାରତକୁ ୮ଟି ଚିତା ବାଘ ଆସିବେ। ପ୍ରଧାନମନ୍ତ୍ରୀ ମୋଦି ଶନିବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବିଆରୁ ଭାରତକୁ ଆଶିଥିବା ଏହି ଚିତାକୁ ମୁକ୍ତ କରିବେ। ୧୯୫୨ ମସିହାରେ ଭାରତ ସରକାର ଦେଶରେ ଚିତାକୁ ବିଲୁପ୍ତ ଘୋଷଣା କରିଥିଲେ। ଚିତାକୁ ୧୯୪୮ ମସିହାରେ ଛତିଶଗଡର କୋରିଆ ଜିଲ୍ଲାର ଜଙ୍ଗଲରେ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଶୁକ୍ରବାର ଦିନ କହିଛନ୍ତି ଯେ ଅତ୍ୟଧିକ ଶିକାର ହେତୁ ଦେଶରେ ବିଲୁପ୍ତ ହୋଇଥିବା ଚିତାକୁ ଫେରାଇ ଭାରତ ପରିବେଶ ଅସନ୍ତୁଳନକୁ ଦୂର କରିବ।





