ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଛନ୍ଦି ହୋଇଥିବା ବଲିଉଡ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜଙ୍କ ପିଛା ଛାଡୁନି ବିବାଦ। ମହାଠକ ସୁକେଶ ଚନ୍ଦ୍ରଶେଖର ମାମଲାରେ ତାଙ୍କୁ ଇଡି ପରେ ଏବେ ଦିଲ୍ଲୀ ପୋଲିସ ଘନ ଘନ ଜେରା କରିଚାଳିଛି । ଦିଲ୍ଲୀ ପୁଲିସର ଇଓଡବ୍ଲୁ ଆଜି ଜ୍ୟାକ୍ଲିନ୍ଙ୍କୁ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ପୁଣି ଜେରା କରୁଛି। ଏଥିପାଇଁ ତାଙ୍କୁ ସମନ କରାଯାଇଥିଲା।
ଜ୍ୟାକ୍ଲିନ୍ ସମେତ ପୁଲିସ ଫେମସ୍ ଫ୍ୟାଶନ ଡିଜାଇନର୍ ଲିପାକ୍ଷୀଙ୍କୁ ମଧ୍ୟ ସମନ ପଠାଇଛି। ଆଜି ଲିପାକ୍ଷୀଙ୍କୁ ମଧ୍ୟ ଇଓଡବ୍ଲୁ ପଚରାଉଚରା କରୁଛି। ଅଭିନେତ୍ରୀ ଓ ଡିଜାଇନର୍ଙ୍କୁ ମୁହାଁମୁହିଁ ଜେରା କରାଯାଉଥିବା ସୂଚନା ମିଳିଛି। ମିଡିଆ ରିପୋର୍ଟ ମୁତାବକ, ମହାଠକ ସୁକେଶ ଚନ୍ଦ୍ରଶେଖର ଫ୍ୟାଶନ ଡିଜାଇନର୍ ଲିପାକ୍ଷୀଙ୍କୁ ଜ୍ୟାକ୍ଲିନ୍ଙ୍କ ପାଇଁ ଦାମୀ ଡ୍ରେସ୍ ତିଆରି କରିବା ପାଇଁ ଟଙ୍କା ଦେଇଥିଲା।
ବର୍ତ୍ତମାନ ସୁଦ୍ଧା ସୁକେଶ ଚନ୍ଦ୍ରଶେଖର ସହ ଜଡିତ ଟଙ୍କା ହେରଫେର୍ ମାମଲାରେ ୩ ଥର ଜ୍ୟାକ୍ଲିନ୍ଙ୍କୁ ଦିଲ୍ଲୀ ପୁଲିସ ଆଗରେ ହାଜର ହୋଇ ସାରିଲେଣି।
ବୁଧବାର ଜ୍ୟାକଲିନ ଏହି ମାମଲାରେ EOW ସମ୍ମୁଖରେ ହାଜର ହୋଇଥିଲେ। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ପିଙ୍କି ଇରାନୀ ହିଁ ଜ୍ୟାକଲିନଙ୍କୁ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଭେଟ୍ଘାଟ କରାଇଥିବା ଅଭିଯୋଗ ହୋଇଥିଲା। ଏହାପୂର୍ବରୁ ତାଙ୍କୁ ସୋମବାର ତଦନ୍ତରେ ଯୋଗଦେବାକୁ କୁହାଯାଇଥିଲା। କିନ୍ତୁ ପୂର୍ବରୁ ସ୍ଥିର ହୋଇଥିବା କାର୍ଯ୍ୟସୂଚୀକୁ ଦର୍ଶାଇ ସେ ଅଧିକ ସମୟ ମାଗିଥିଲେ।
ଚଳିତ ମାସ ଆରମ୍ଭରେ, ବଲିଉଡର ଅନ୍ୟ ଜଣେ ଅଭିନେତ୍ରୀ ନୋରା ଫତେହିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମଧ୍ୟ ୬ ଘଣ୍ଟା ଧରି ଜେରା କରାଯାଇଥିଲା।





