ଚଣ୍ଡୀଗଡ଼: ଚଣ୍ଡୀଗଡ଼ ବିଶ୍ବବିଦ୍ୟାଳର ‘ଗାର୍ଲସ୍‌ ହଷ୍ଟେଲ୍‌’ ଭିଡିଓ ଲିକ୍‌ ଘଟଣାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଜାବ ସରକାର। ଆଜି ୩ଜଣିଆ ସଦସ୍ୟବିଶିଷ୍ଟ ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଭେସନ୍‌ ଟିମ୍‌’ (ଏସ୍‌ଆଇଟି) ଗଠନ କରିବାକୁ ଆଦେଶ ଦେଇଛନ୍ତି।

ଏ ସଂକ୍ରାନ୍ତରେ ଦେଇଥିବା ବିବୃତିରେ ପଞ୍ଜାବ ପୁଲସି ‘ଡିଜିପି’ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ନିର୍ଦେଶକ୍ରମେ ସମସ୍ତ ମହିଳା ସଦସ୍ୟ ଥିବା ୩ଜଣିଆ ସଦସ୍ୟବିଶିଷ୍ଟ ‘ଏସ୍‌ଆଇଟି’ ଟିମ୍‌ ବରିଷ୍ଠ ‘ଆଇପିଏସ୍‌’ ଅଧିକାରୀ ଗୁରୁପ୍ରୀତ ଦେଓଙ୍କ ତତ୍ତ୍ବାବଧାନରେ ଚଣ୍ଡୀଗଡ଼ ବିଶ୍ବବିଦ୍ୟାଳୟ ମାମଲାର ତଦନ୍ତ କରିବ।

ଏହି ମାମଲାରେ ଜଣେ ଛାତ୍ରୀ ଓ ଆଉ ୨ଜଣଙ୍କୁ ଗିରଫ କରାଯାଇଛି। ତ୍ବରିତ ସ‌ହଯୋଗ ନିମନ୍ତେ ହିମାଚଳ ପ‌ୁଲିସ ‘ଡିଜିପି’ଙ୍କୁ ଧନ୍ୟବାଦ। ଇଲେକ୍ଟ୍ରୋନିକ୍‌ ଉପକରଣ ଜବତ କରାଯାଇ ଫୋରେନ୍‌ସିକ୍‌ ଯାଞ୍ଚ ନିମନ୍ତେ ପଠାଯାଇଛି। ‘ଏସ୍‌ଆଇଟି’ ଘଟଣାର ମୂଳଯାଏଁ ଯିବ। ଏଥିରେ ସମ୍ପୃକ୍ତ ଥିବା କୌଣସି ବ୍ୟକ୍ତି ନିସ୍ତାର ପାଇବେ ନାହିଁ। ଶାନ୍ତି ଓ ସହାବସ୍ଥାନ ବଜାୟ ରଖିବାକୁ ସମସ୍ତକୁ ନିବେଦନ।

ଏହାଛଡ଼ା, ଚଣ୍ଡୀଗଡ଼ ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷମାନେ ହଷ୍ଟେଲ୍‌ର ୨ଜଣ ୱାର୍ଡେନ୍‌ଙ୍କୁ ନିଲମ୍ବନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଭିଡିଓରେ ଦେଖାଯାଉଛନ୍ତି। ସେ ହିଁ ଭିଡିଓ ଲିକ୍‌ କରିଛନ୍ତି ବୋଲି କୁହାଯାଉଛି।

ଏ ପର୍ଯ୍ୟନ୍ତ ଭିଡିଓ ଲିକ୍‌ ଘଟଣାରେ ସମ୍ପୃକ୍ତ ଥିବା ୩ଜଣଙ୍କୁ ଗିରଫ କରାଗଲାଣି।