ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ରର ବିଜେପି ସରକାର ବିରୁଦ୍ଧରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରାଯାଇଛି। ଏହାର ନେତୃତ୍ୱ ଦଳର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧି ନେଉଛନ୍ତି। ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରାୟ ୧୫୦ ଦିନ ଚାଲିବ। ରାହୁଲ ଗାନ୍ଧି ଚାଲିଚାଲି କନ୍ୟା କୁମାରୀରୁ କଶ୍ମୀରରେ ପହଞ୍ଚିବେ। ତେବେ ଏହି ଭାରତ ଯୋଡ଼ୋ ଯାତ୍ରାକୁ ନେଇ ବଡ଼ ବୟାନ ଦେଇଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ସେ କହିଛନ୍ତି ଯେ, କଂଗ୍ରେସର ଭାରତ ଯୋଡ଼ୋ ପଦଯାତ୍ରା ଗୁଜରାଟ କିମ୍ବା ଅନ୍ୟ କୌଣସି ବିଜେପି ଶାସିକ ରାଜ୍ୟରୁ ଆରମ୍ଭ ହୋଇଥିଲେ ଏହାର ପ୍ରଭାବ ଅଧିକ ରହିଥାଆନ୍ତା। ବିହାରରେ ସ୍ୱତନ୍ତ୍ର ବିର୍ଦ୍ଦଭ ରାଜ୍ୟ ପାଇଁ ଦାବି କରୁଥିବା ସ୍ଥାନୀୟ ଲୋକ ଓ ସାମାଜିକ କର୍ମୀଙ୍କୁ ଗୋଟିଏ କାର୍ଯ୍ୟକ୍ରମ ସମୟରେ ଭେଟିବା ବେଳେ ପିକେ ଏପରି ବୟାନ ଦେଇଛନ୍ତି।
ସେ କହିଛନ୍ତି ଯେ, “ଚଳିତ ବର୍ଷ ଶେଷ ଭାଗରେ ନିର୍ବାଚନ ହେବାକୁ ଥିବା ଗୁଜରାଟ କିମ୍ବା ଯେକୌଣସି ବିଜେପି ଶାସିତ ରାଜ୍ୟ ଯଥା ଉତ୍ତର ପ୍ରଦେଶ କିମ୍ବା ମଧ୍ୟପ୍ରଦେଶରୁ କଂଗ୍ରେସ ତାର ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିବାର ଥିଲା। ଏହା ଦଳ ପାଇଁ ବହୁତ ଭଲ ଫଳ ଆଣିଥାଆନ୍ତା।”
ସୂଚନାଯୋଗ୍ୟ ଯେ, କିଛି ମାସ ତଳେ ପ୍ରଶାନ୍ତ କିଶୋର କଂଗ୍ରେସରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବୁଝାମଣାର ଅଭାବ ଯୋଗୁ ସେ କଂଗ୍ରେସ ସହ ହାତ ମିଳାଇ ନଥିଲେ।





