ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେପି ପରେ ଏବେ କଂଗ୍ରେସ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଅଭିଯୋଗ ଆଣିଛି। ଶୌଚାଳୟ ଦୁର୍ନୀତିରେ ସିସୋଦିଆ ସାମିଲ ଥିବା ଦଳ ଅଭିଯୋଗ କରିଛି। ମଙ୍ଗଳବାର କଂଗ୍ରେସର ନେତାମାନେ ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସକ୍ସେନାଙ୍କୁ ଭେଟି ସିସୋଦିଆ ଶୌଚାଳୟ ଦୁର୍ନୀତିରେ ସାମିଲ ଥିବା ଅଭିଯୋଗ ଆଣିଛନ୍ତି। ଦିଲ୍ଲୀ ସରକାର ଏନଜିଓ ବଳରେ ସହରରେ ଥିବା ସର୍ବସାଧାରଣ ଶୌଚାଳୟ ପରିଚାଳନାକୁ ଏକ ବେଆଇନ କମ୍ପାନୀକୁ ହସ୍ତାନ୍ତର କରିବାକୁ ସେ ଯୋଜନା କରୁଛନ୍ତି। ଏହାକୁ ବିରୋଧ କରିଛି କଂଗ୍ରେସ । ଏପରି କରି ଦିଲ୍ଲୀ ସରକାର ଦୁର୍ନୀତି କରୁଛନ୍ତି ବୋଲି ଦିଲ୍ଲୀ କଂଗ୍ରେସ ସଭାପତି ଅନିଲ କୁମାର ଦାବି କରିଛନ୍ତି।
ଏନେଇ ଦିଲ୍ଲୀ କଂଗ୍ରେସ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ, ଶୌଚାଳୟ ନିର୍ମାଣ ପାଇଁ ଦିଲ୍ଲୀ ସରକାର ଯେଉଁ ନିଷିଦ୍ଧ କମ୍ପାନୀ ସହ ଚୁକ୍ତିନାମା କରିଛନ୍ତି ତାହା ତଦନ୍ତ ପରିସରଭୁକ୍ତ ହେବା ଦରକାର। ନଗର ଉନ୍ନୟନ ବିଭାଗ ମନୀଷ ସିସୋଦିଆଙ୍କ ନିକଟରେ ରହିଛି। ତେଣୁ ତାଙ୍କ ବିରୋଧରେ ତଦନ୍ତ ହେଉ ବୋଲି କଂଗ୍ରେସ ଦାବି କରିଛି। ଦିଲ୍ଲୀ କଂଗ୍ରେସ ପ୍ରଶ୍ନ କରିଛି ଯେ ଗୋଟିଏ ନିଷିଦ୍ଧ କମ୍ପାନୀକୁ କାହିଁକି ଏହି ଶୌଚାଳୟ ଟେଣ୍ଡରରେ ସାମିଲ କରାଯାଇଛି। ସିସୋଦିଆ ନିଜେ ଏହି ନିଷିଦ୍ଧ କମ୍ପାନୀ ବିରୋଧରେ ଦୁଇ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଥିଲେ। ୨୦୨୧ରେ ସେ ଏହି ପଦକ୍ଷେପ ନେଇଥିଲେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହି ଅଭିଯୋଗ ଉପରେ ଦିଲ୍ଲୀ ସରକାର କିମ୍ବା ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।





