ନୂଆଦିଲ୍ଲୀ: ନାମିବ୍ୟାରୁ ଆସିଛନ୍ତି ୮ ଚିତା । ତେବେ ଆସିଥିବା ୮ ଚିତାଙ୍କ ନାମକରଣ କରାଯିବ । ଏନେଇ ଦେଶବ୍ୟାପୀ ପ୍ରତିଯୋଗିତା କରାଯିବ ବୋଲି ଆଜି ‘ମନ୍‌ କୀ ବାତ୍‌’ର ୯୩ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଆଜି ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀ ଚିତା ଆସିବାଦ୍ବାରା ଭାରତବାସୀଙ୍କ ଆନନ୍ଦ କଥା ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ୭୦ ବର୍ଷ ପରେ ବଣ୍ୟ ମାର୍ଜାର (ଚିତା) ଭାରତକୁ ଫେରି ଥିବାରୁ ୧୩୦ କୋଟି ଭାରତୀୟ ଖୁବ୍‌ ଆନନ୍ଦିତ। ସେ ଉତ୍ତର ପ୍ରଦେଶର ଅରୁଣ କୁମାର ଗୁପ୍ତା ହୁଅନ୍ତୁ କି, ତେଲେଙ୍ଗାନାର ଏନ୍‌. ରାମଚନ୍ଦ୍ରନ୍‌ ରଘୁରାମ ହୁଅନ୍ତୁ, ସମସ୍ତ ଦେଶବାସୀ ନିଜ ନିଜର ଖୁସ ବ୍ୟକ୍ତ କରିଛନ୍ତି। ଏହି ଚିତାମାନଙ୍କ ନାମକରଣ ନିମନ୍ତେ ଦେଶବ୍ୟାପୀ ପ୍ରତିଯୋଗିତା କରାଯିବ।

ଦୀନଦୟାଲ୍‌ ଉପାଧ୍ୟାୟଙ୍କ ୧୦୬ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଧୁନିକ, ସାମାଜିକ ଏବଂ ରାଜନୈତିକ କ୍ଷେତ୍ରରେ ଭାରତୀୟ ଦର୍ଶନ କିଭଳି ଆମର ପଥପ୍ରଦର୍ଶକ ହୋଇପାରିବ, ତାହା ଦୀନଦୟାଲ୍‌ଜୀ ଆମ୍ଭଙ୍କୁ ଶିଖାଇଛନ୍ତି।

ତିନି ଦିନ ପରେ ଆସୁଥିବା ସେପ୍ଟେମ୍ବର ୨୮ ତାରିଖ ‘ଅମୃତ ମହୋତ୍ସବ’ ପାଇଁ ଏକ ବିଶେଷ ଦିନ। ସେଦିନ ଆମେ ଭାରତ ମାତାଙ୍କ ସାହସୀ ସନ୍ତାନ ଭଗତ ସିଂହଙ୍କ ଜନ୍ମବାର୍ଷିକୀ ପାଳନ କରିବା। ଏହି ମହାନ୍‌ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ଚଣ୍ଡିଗଡ଼ ବିମାନ ବନ୍ଦରର ନାଁ ସହିଦ ଭଗତ ସିଂହ ବିମାନ ବନ୍ଦର ରଖାଯିବ।

ପ୍ରଧାନମନ୍ତ୍ରୀ କହିଛନ୍ତି, ସହିଦ ସ୍ମାରକୀ, ସେମାନଙ୍କ ନାମାନୁସାରେ ନାମିତ ସ୍ଥାନ ଓ ପ୍ରତିଷ୍ଠାନ ସବୁ ଆମକୁ କର୍ତ୍ତବ୍ୟବୋଧ ପାଇଁ ପ୍ରେରଣା ଦିଏ। ଅଳ୍ପ କିଛି ଦିନ ତଳେ କର୍ତ୍ତବ୍ୟ ପଥରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରି ଦେଶ ସେହିଭଳି ଗୋଟାଏ ଉଦ୍ୟମ କରିଛି।

ଯୋଗର କ୍ଷମତାକୁ ଚାହିଁ, ଜୁନ୍‌ ୨୧ ତାରିଖ ଦିନ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ଲାଗି ଜାତିସଂଘ ନିଷ୍ପତ୍ତି ନେଇଛି। ୨୦୧୭ରେ ‘ଇଣ୍ଡିଆନ୍‌ ହାଇପର୍‌ଟେନ୍‌ସନ୍‌ କଣ୍ଟ୍ରୋଲ୍‌ ଇନିସିଏଟିଭ୍‌’ ନାମରେ ଆରମ୍ଭ ହୋଇଥିବା ଭାରତର ଆଉ ଏକ ଉଦ୍ୟମକୁ ଶେଷରେ ଜାତିସଂଘ ସ୍ବୀକୃତି ଦେଇଛି।

ସାମୁଦ୍ରିକ ‘ଇକୋସିଷ୍ଟମ୍‌’ ପ୍ରତି ଜଳବାୟୁ ପରିବର୍ତ୍ତନ ପ୍ରମୁଖ ବିପଦ ଭାବେ ଉଭା ହୋଇଛି। ଅନ୍ୟ ପକ୍ଷରେ ବେଳାଭୂମିରେ ପଡୁଥିବା ଆବର୍ଜନା ମଧ୍ୟ ଅସୁବିଧା କରୁଛି। ଏସବୁ ଆହ୍ବାନ ମୁକାବିଲା କରିବା ନିମନ୍ତେ ଗୁରୁତ୍ବର ସହ ନିରବଚ୍ଛିନ୍ନ ଉଦ୍ୟମ କରିବା ଆମ ପାଇଁ ଦାୟିତ୍ବ ହୋଇଯାଇଛି।

ସ୍ବାଧୀନତାର ଅମୃତ ମହୋତ୍ସବ ସମୟରେ ଆମେ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ନେଇ ଅଗ୍ରସର ହେଉଛନ୍ତି। ବାସ୍ତବରେ ଏହା ହେବ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଅସଲ ଶ୍ରଦ୍ଧାଞ୍ଜଳି। ତେଣୁ, ଆପଣମାନଙ୍କୁ ଅନୁରୋଧ ଏଥର ଖଦୀ, ହସ୍ତତନ୍ତ ଅଥବା ହସ୍ତଶିଳ୍ପ ସାମଗ୍ରୀ ଖରିଦ କରି ସମସ୍ତ ରେକର୍ଡ ଭାଙ୍ଗନ୍ତୁ।

ଏଥର ପୂଜାପର୍ବାଣି ଅବସରରେ ପଲିଥିନ୍‌ ବର୍ଜନ କରି କେବଳ ସ୍ଥାନୀୟ ଅଞ୍ଚଳରେ ନିର୍ମିତ ଅଣ-ପ୍ଲାଷ୍ଟିକ୍‌ ବ୍ୟାଗ୍‌ ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ କହିଛନ୍ତି। ପୁଣି ଥରେ ଝୋଟ, ସୂତା, କଦଳୀପଟୁକା ଭଳି ପାରମ୍ପରିକ ବ୍ୟାଗ୍‌ ବ୍ୟବହାରର ଧାରା ଉଠିଥିବା କଥା ସେ କହିଛନ୍ତି।