ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏବେଠାରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହେଇଗଲାଣି। ୨୦୨୪ରେ କେନ୍ଦ୍ରରେ ଶାସନରେ ଥିବା ବିଜେପି ସରକାର ବିରୋଧରେ ତୃତୀୟ ସାମୁଖ୍ୟ ଗଠନ ପାଇଁ ଜୋରଦାର ପ୍ରସ୍ତୁତି ହେଉଥିବା ଚର୍ଚ୍ଚା ହେଉଛି। ଏସବୁ ଭିତରେ ରବିବାର ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌଧୁରୀ ଦେବୀଲାଲଙ୍କ ରବିବାର ୧୦୯ତମ ଜନ୍ମ ଜୟନ୍ତୀ ଥିଲା । ଏହି ଅବସରରେ ହରିୟାଣାର ଏକ ସମ୍ମାନ ଦିବସ ରାଲିର ଆୟୋଜନ ହୋଇଥିଲା। ଏହି ରାଲିରେ ବିପକ୍ଷର ହେବିୱେଟ୍‌ ନେତା ମାନେ ଯୋଗ ଦେଇଥିଲେ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ଏନ୍‌ସିପି ପ୍ରମୁଖ ଶରଦ ପୱାର, ସିପିଆଇ ମହା ସଚିବ ସୀତାରାମ ୟେଚୁରୀ, ଜେଡିୟୁର କେସି ତ୍ୟାଗୀ, ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ।

ଏହି ରାଲିରେ ଦେଶର ୧୦ ବଡ଼ ରାଜ୍ୟର ବିଜେପି ବିରୋଧୀ ନେତାଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା । ଦେବୀଲାଲଙ୍କ ଜୟନ୍ତୀ ଅବସରରେ ବିପକ୍ଷର ବଡ଼ ନେତାଙ୍କୁ ଗୋଟିଏ ମଞ୍ଚରେ ଏକାଠି ହେବା ନିଶ୍ଚିତ ଭାବରେ ତୃତୀୟ ସାମୁଖ୍ୟ ଭାବରେ ପ୍ରତିପାଦିତ ହେଉଛି । ଏହାକୁ ନେଇ ଇଣ୍ଡିଆନ୍‌ ନ୍ୟାସନାଲ୍‌ ଲୋକ ଦଳ ନେତା ଅଭୟ ଚୌଟାଲା କହିଥିଲେ ଯେ, ବର୍ତ୍ତମାନଠାରୁ ସମସ୍ତ ନେତା ଗୋଟିଏ ମଞ୍ଚରେ ନଜର ଆସିବେ । କଂଗ୍ରେସ୍‌କୁ ଏହି ତୃତୀୟ ସାମୁଖ୍ୟରୁ ଅଲଗା ଦେଖାଯାଉନାହିଁ । ବର୍ତ୍ତମାନଠାରୁ ତୃତୀୟ ସାମୁଖ୍ୟକୁ ନେଇ କୌଣସି ଚର୍ଚ୍ଚା କରିବା ଠିକ୍‌ ହେବ ନାହିଁ ବୋଲି ସେ କହିଛନ୍ତି।

ଏହାକୁ ନେଇ ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ ଲୋକଦଳର ଆଉ ଜଣେ ନେତା ଗୁରମିତ୍‌ ସିଂହ କହିଛନ୍ତି ଯେ, “୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧୀଙ୍କ ଏହା ପ୍ରସ୍ତୁତି । ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ ଲୋକଦଳ ବିପକ୍ଷର ବଡ଼ ନେତାଙ୍କୁ ଗୋଟିଏ ମଞ୍ଚକୁ ଡାକି ତୃତୀୟ ସାମୁଖ୍ୟ ପାଇଁ ଗୋଟିଏ ପ୍ରଚେଷ୍ଟା କରିଛୁ । ଏହି ପ୍ରଚେଷ୍ଟା କେତେ ଫଳପ୍ରଦ ହେବ ତାହା ସମୟ କହିବ ।”

ସେପଟେ ସମ୍ମାନ ରାଲିରେ ବିରୋଧୀ ପକ୍ଷର ବଡ଼ବଡ଼ ନେତା ଏକାଠି ହେବାକୁ ନେଇ କଟାକ୍ଷ କରିଛନ୍ତି କଂଗ୍ରେସ ମୁଖପାତ୍ର କେବଳ ଢିଙ୍ଗୋରା । ସେ କହିଛନ୍ତି ଯେ, “ଏମାନେ କେବେ ବି ୟୁପିଏକୁ ସମର୍ଥନ ଦେଇ ନାହାନ୍ତି । ସବୁବେଳେ ଏନ୍‌ଡିଏକୁ ନେଇ ଏହି ନେତାଏ ସମର୍ଥନ କରି ଆସିଛନ୍ତି । ଏଭଳି ଲୋକ ତୃତୀୟ ସାମୁଖ୍ୟ କଥା କହିଲେ କେବଳ ବିଜେପିକୁ ଫାଇଦା ହେବ । ବର୍ତ୍ତମାନ ସ୍ଥିତିରେ ତୃତୀୟ ସାମୁଖ୍ୟ ନୁହେଁ, ବରଂ କଂଗ୍ରେସକୁ ସମର୍ଥନ କରିବାର ଆବଶ୍ୟକତା ରହିଛି । କିନ୍ତୁ ଏଭଳି ନେତାଙ୍କଠାରୁ ସେଭଳି କିଛି ଆଶା କରିବା ବେଇମାନୀ ହେବ ।”

୨୦୨୪ ନିର୍ବାଚନରେ କଂଗ୍ରେସ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ମୈଦାନକୁ ଓହ୍ଲାଇବ । ସେପଟେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନ୍‌ସିପି ମୁଖ୍ୟ ଶରଦ ପୱାରଙ୍କ ଭଳି ବଡ଼ ନେତା ମଧ୍ୟ ୨୦୨୪ରେ ନିଜ ଶକ୍ତି ପ୍ରଦର୍ଶନ କରିବାକୁ ଚାହିଁବେ । ଏଭଳି ସ୍ଥିତିରେ ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ ଲୋକଦଳର ତୃତୀୟ ସାମୁଖ୍ୟ ପ୍ରତିଷ୍ଠା କରିବା ପ୍ରୟାସ କେତେ ଦୂର ସଫଳ ହେବ ତାହା ଆକଳନ କରିବା ମୁସ୍କିଲ୍‌ ।

ହରିୟାଣାରେ ଅନୁଷ୍ଠିତ ହୋଇଥିବା ଏହି ରାଲିରେ ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ ଲୋକଦଳ ସୁପ୍ରିମୋ ଓମ୍‌ ପ୍ରକାଶ ଚୌଟାଲା କର୍ଣ୍ଣାଟକର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ, ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନିମନ୍ତ୍ରଣ ଦେଇଥିଲେ । ତେବେ ଆୟୋଜିତ ରାଲିରେ ଏମାନେ ଯୋଗ ଦେଇ ପାରିନାହାନ୍ତି ।