
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଏନସିପି ସୁପ୍ରିମୋ ଶରଦ ପାୱାର ଓ ପ୍ରଶାନ୍ତ କିଶୋରଙ୍କ ସାକ୍ଷାତକାର ପରେ ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ଚେକ୍ ଦେବା ପାଇଁ ତୃତୀୟ ସାମ୍ମୁଖ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହା ମଧ୍ୟରେ ପିକେ ସ୍ପଷ୍ଟ କରିଛନ୍ତି ଯେ ସେ ଆସନ୍ତା ସାଧାରଣ ନିର୍ବାଚନ ବେଳେ କୌଣସି ବିରୋଧ ଦଳଗୁଡ଼ିକ ପାଇଁ ବିଜେପି ବିରୋଧରେ ରଣନୀତି ପ୍ରସ୍ତୁତ କରିବେ ନାହିଁ । ଏହା ବ୍ୟତୀତ ଭାରତୀୟ ଜନତା ପାର୍ଟି ବିରୋଧରେ କୌଣସି ସମ୍ଭାବ୍ୟ ତୃତୀୟ ସାମ୍ମୁଖ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ତାଙ୍କର ବିଶ୍ୱାସ ନଥିବା ପ୍ରଶାନ୍ତ କହିଛନ୍ତି। ସାମ୍ପ୍ରତିକ ରାଜନୈତିକ ସ୍ଥିତିରେ ତୃତୀୟ ସାମ୍ମୁଖ୍ୟ କିମ୍ବା ଚତୁର୍ଥ ସାମ୍ମୁଖ୍ୟ ସମ୍ପର୍କରେ ସେ କୌଣସି ପ୍ରକାରର ଚିନ୍ତା କରିନାହାନ୍ତି ବୋଲି ମଧ୍ୟ କହିଛନ୍ତି। ପ୍ରଶାନ୍ତ କିଶୋର ଗତକାଲି ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ସହ ବୈଠକ କରିଥିଲେ। ଏହାପରେ ଶରଦ ପାୱାର ଗୁରୁବାର ୧୫ଟି ବିରୋଧୀ ଦଳର ନେତାଙ୍କୁ ନେଇ ବୈଠକ କରିବେ ବୋଲି ସୂଚନା ଦେଇଛନ୍ତି । ଏହା ପରେ ବିଜେପି ବିରୋଧରେ ସମ୍ଭାବ୍ୟ ଥାର୍ଡ ଫ୍ରଣ୍ଟକୁ ନେଇ ଚର୍ଚ୍ଚା ହେଉଛି। ଏସବୁ ଭିତରେ ପ୍ରଶାନ୍ତ କିଶୋର ବିଜେପି ବିରୋଧରେ ଗଠନ ହେବାକୁ ଥିବା ତୃତୀୟ ସାମ୍ମୁଖ୍ୟ ପାଇଁ ୨୦୨୪ରେ ରଣନୀତିଜ୍ଞ ସାଜିବେ ବୋଲି କୁହାଯାଉଥିଲା। କିନ୍ତୁ ପ୍ରଶାନ୍ତ କିଶୋର ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ପ୍ରକାଶ ଥାଉକି, କିଶୋର କହିଛନ୍ତି ଯେ ଏହି ପାୱାରଙ୍କ ସହ ହୋଇଥିବା ଏହି ବୈଠକରେ ରାଜ୍ୟ ନିର୍ବାଚନରେ ବିଜେପିକୁ ଚେକ୍ ଦେବା ପାଇଁ ଚର୍ଚ୍ଚା ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି । ବର୍ତ୍ତମାନ ତୃତୀୟ ସାମ୍ମୁଖ୍ୟ ଗଠନ ସମ୍ପର୍କରେ କିଛି ବି ବିଚାର କରାଯାଇ ନାହିଁ ବୋଲି ପିକେ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନିକଟରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ବିଜୟୀ ହେବା ସବୁ ବିରୋଧୀ ଦଳଗୁଡ଼ିକୁ ବଡ଼ ସନ୍ଦେଶ ଦେଇଛି। ସେମାନେ ମଧ୍ୟ ମମତାଙ୍କ ଭଳି ବିଜେପି ବିରୋଧରେ ଲଢ଼େଇ କରିପାରିବେ ଓ ଦଳକୁ ଚ୍ୟାଲେଞ୍ଜ ଦେଇପାରିବେ। ସୂଚନାଯୋଗ୍ୟ 2014 ଲୋକସଭା ନିର୍ବାଚନରେ ପ୍ରଶାନ୍ତ କିଶୋର ବିଜେପିର ପ୍ରଚାର ଅଭିଯାନର ଏକ ଅଂଶ ଥିଲେ। ଏହା ପରେ ସେ ଅନେକ ଅଣ ଏନଡିଏ ଦଳ ପାଇଁ ନିର୍ବାଚନ ରଣନୀତିକାର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।