ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ହେବାକୁ ଯାଉଥିବା ନିର୍ବାଚନ ଲଢ଼ିବେ । ଏନେଇ ସେ ଘୋଷଣା କରିଛନ୍ତି ଓ ଆସନ୍ତା କାଲି ଅର୍ଥାତ୍ ସେପ୍ଟେମ୍ବର ୩୦ ତାରିଖରେ ସେ ନାମାଙ୍କନ ଦାଖଲ କରିବେ ବୋଲି କହିଛନ୍ତି। ନାମାଙ୍କନ ଦାଖଲ ପାଇଁ ସେ ଆଜି ଦିଲ୍ଲୀରେ ପହଞ୍ଚିବେ ବୋଲି ଜଣାପଡିଛି । ତେବେ ପ୍ରାର୍ଥୀ ହେବାନେଇ ସେ କହିଛନ୍ତି ଯେ, ପ୍ରାର୍ଥୀ ହେବା ବିଷୟରେ ସେ କାହା ସହ ଆଲୋଚନା କରି ନାହାଁନ୍ତି । ସେ ଦଳର ହାଇକମାଣ୍ଡଙ୍କ ଠାରୁ ମଧ୍ୟ ଅନୁମତି ନେଇ ନାହାନ୍ତି ବୋଲି କହିଛନ୍ତି ।
ଅନ୍ୟପଟେ ଦଳର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର ମଧ୍ୟ ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିଛନ୍ତି । ଏଥିପାଇଁ ସେ ନାମାଙ୍କନ ପତ୍ର ମଧ୍ୟ ସଂଗ୍ରହ କରିଛନ୍ତି। ଏଭଳି ହେଲେ ଦିଗବିଜୟ ସିଂଙ୍କର ସିଧାସଳଖ ଲଢେଇ ଶଶି ଥରୁରଙ୍କ ସହ ହେବ । ୭୫ ବର୍ଷିୟ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଗାନ୍ଧୀ ପରିବାରର ଅତି ନିକଟତର ବୋଲି କୁହାଯାଏ। ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ପରେ ଅଧ୍ୟକ୍ଷ ରେସରେ ଥିବା ଅଶୋକ ଗେହଲଟ ଏଥିରୁ ବାଦ୍ ପଡ଼ିଥିବା ଚର୍ଚ୍ଚା ହେଉଛି। ପୂର୍ବରୁ ସେ ଖୋଲାଖୋଲି ନିର୍ବାଚନ ଲଢିବାକୁ ଘୋଷଣା କରିଥିଲେ ମଧ୍ୟ ଏବେ ତାଙ୍କର ନାମାଙ୍କନ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
