ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗତକାଲି ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପର ଭୂ-ଅର୍ଜନ ଅଧିକାରୀଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା। ଏହି ଘଟଣାକୁ ଗୁରୁତର ସହ ନେଇ ୫ ଜଣ ମହିଳାଙ୍କୁ ଗିରଫ କରିଛି ନୟାଗଡ଼ ପୁଲିସ୍ । ଭୂଅର୍ଜନ ଅଧିକାରୀ ସଂଜୟ ପ୍ରତିହାରୀ ଗତକାଲି ନିଜ କାର୍ଯ୍ୟାଳୟରେ ଥିବା ବେଳେ କିଛି ମହିଳା ତାଙ୍କ କାର୍ଯ୍ୟାଳୟରେ ପଶିଥିଲେ।ସେମାନେ ସଞ୍ଜୟଙ୍କୁ ଜବରଦସ୍ତି ଚୁଡ଼ି, ଶଙ୍ଖା, ସିନ୍ଦୁର ପିନ୍ଧାଇବା ସହ କାର୍ଯ୍ୟାଳୟ ବାହାରକୁ ଟାଣି ଆଣିଥିଲେ। ଏହାପରେ ଝାଡ଼ୁ, ଚପଲରେ ନିସ୍ତୁକ ମାଡ଼ ମାରିଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହୋଇଥିବା ବେଳେ ଏହାକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୁଲିସ୍ ।
ପୁଲିସ୍ ଏପର୍ଯ୍ୟନ୍ତ ୫ ଜଣ ମହିଳାଙ୍କୁ ଗିରଫ କରି ସାରିଥିବା ବେଳେ ଏହି ଘଟଣାରେ ଆଉ ୬ ଜଣ ସମ୍ପୃକ୍ତ ଥିବା ଜଣାଯାଇଛି। ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସେମାନଙ୍କୁ ଖୋଜୁଛି। ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ସହ ସରକାରୀ ଅଧିକାରୀଙ୍କ ସୁରକ୍ଷା ଦାବିରେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଓଏଏସ ସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକଙ୍କ ଚାଷଜମି ଏଥିପାଇଁ ରେଳ ବିଭାଗ ଅଧିଗ୍ରହଣ କରିଛି। ହେଲେ ଲୋକମାନେ ଜମି ବାବଦକୁ ପାଇଥିବାକୁ ଥିବା ଅର୍ଥ ପ୍ରଦାନରେ ବହୁ ବିଳମ୍ବ ହୋଇଛି। କ୍ଷତିପୂରଣ ପାଇଁ ବାରମ୍ବାର ଭୂଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ି ନିରାଶ ହେବା ପରେ ଗତକାଲି କିଛି ମହିଳା ଏଭଳି କାଣ୍ଡ ଘଟାଇଥିଲେ। କ୍ଷତିପୂରଣ ଦେବାକୁ ଶ୍ରୀ ପ୍ରତିହାରୀ ଜମିହରାଙ୍କୁ ଲାଞ୍ଚ ମାଗୁଥିବା ମଧ୍ୟ ମହିଳା ମାନେ ଅଭିଯୋଗ କରିଥିଲେ।
