କିବ୍ : ଋଷ ଓ ୟୁକ୍ରେନ ମଧ୍ୟରେ ଜାରୀ ରହିଛି ଯୁଦ୍ଧ । ଋଷ ଲଗାତାର ଭାବେ ୟୁକ୍ରେନ ଉପରାକୁ ଆକ୍ରମଣ କରି ଚାଲିଥିବା ବେଳେ , ଶୁକ୍ରବାରଦିନ ଦକ୍ଷିଣ ୟୁକ୍ରେନର ସହର ଜାପୋରିଝିଆ ଉପରେ ରୁଷ ପକ୍ଷରୁ କ୍ଷେପାଣାସ୍ତ୍ର ମାଡ଼ କରାଯିବାରୁ ଅତି କମରେ ୨୩ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ୨୮ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ ଲୋକ ବୋଲି ୟୁକ୍ରେନ ଦାବି କରିଛି ।

ତେବେ ରୁଷ ଏହି ଆକ୍ରମଣକୁ ଖଣ୍ଡନ କରିଛି । ଜାପୋରିଝିଆ ଏବେ ରୁଷ କବଜାରେ ଥିବାରୁ ୟୁକ୍ରେନ ସେନାହିଁ ଏହି ଆକ୍ରମଣ କରିଛି ବୋଲି ଜଣେ ରୁଷୀୟ ସୈନ୍ୟ ଅଧିକାରୀ କହିଛନ୍ତି ।

ୟୁକ୍ରେନର ସମ୍ବାଦ ସରବରାହ ସଂସ୍ଥା ୟୁକ୍ରେନଫର୍ମର ରିପୋର୍ଟ ଅନୁସାରେ ଜାପୋରିଝିଆ ସହରର ଓରେକୋଭ କାର ବଜାରରେ ଏହି କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା । ସ୍ବେଚ୍ଛାସେବୀ ଓ କିଛି ସାଧାରଣ ଲୋକ କେତେକ ଗାଡ଼ିରେ ଯାଉଥିବାବେଳେ ଏହି କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୨୩ ପ୍ରାଣ ହରାଇଥିଲେ । ଏହି ଘଟଣାରେ ଆହତ ହୋଇଥିବାରୁ ୨୮ ଜଣଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏକ କ୍ଷେପଣାସ୍ତ୍ର ଭୂମିରେ ମାଡ଼ ହେବାରୁ ପ୍ରଚଣ୍ଡ ବିସ୍ଫୋରଣ ହେବା ସହ ଉକ୍ତ ସ୍ଥାନରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା ।

ଏହି ବିସ୍ଫୋରଣ ଏତେ ପ୍ରଚଣ୍ଡ ଓ ମର୍ମନ୍ତୁଦ ଥିଲା ଯେ ଏକ କାରର ଡ୍ରାଇଭରଙ୍କ ମୃତଦେହ ଛିଣ୍ଡି ଅନ୍ୟ ବାହାରେ ପଡ଼ିଥିବାବେଳେ ତାଙ୍କର କଟା ହାତଟି କାରର କ୍ଲଚକୁ ଧରିରହିଥିଲା ।

ଜାପୋରିଝିଆର ଆଞ୍ଚଳିକ ଗଭର୍ଣ୍ଣର ଆଲେକଜାଣ୍ଡାର ଷ୍ଟାରୁଖ୍ କହିଛନ୍ତି ଯେ ଏପର୍ଯ୍ୟନ୍ତ ୨୩ ଜଣ ମୃତ୍ୟୁବରଣ କରିଛନ୍ତି ଓ ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ କେତେକଙ୍କ ଅବସ୍ଥା ସଂକଟାପନ୍ନ ଅଛି ।