ଚଣ୍ଡୀଗଡ: ଆଗକୁ ଗୁଜରାଟ ନିର୍ବାଚନ । ତେବେ ଏହା ପୂର୍ବରୁ ଆପ ଲୋକଙ୍କ ସହମତି ହାତେଇବା ପାଇଁ ପ୍ରୟାସ ଜାରି ରଖିଛି । ଲୋକଙ୍କ ସହ ସାମିଲ ହୋଇ ଆପ୍ ନେତା ବିଭିନ୍ନ ପର୍ବ ପାଳନ କରୁଛନ୍ତି । ଏବେ ରାଜକୋଟରେ ଆୟୋଜିତ ଏକ ଗରବା କାର୍ଯ୍ୟକ୍ରମରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ସାମିଲ ହୋଇଥିବା ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ମାନ୍ କେବଳ ଗରବା କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ ବରଂ ନିଜେ ଗରବା ନୃତ୍ୟ ପରିବେଷଣ ମଧ୍ୟ କରିଥିଲେ।
ନିର୍ବାଚନ ପ୍ରଚାର ପାଇଁ ଭଗୱନ୍ତ ମାନ୍ ଏବେ ଗୁଜରାଟ ଗସ୍ତରେ ଥିବା ବେଳେ ପ୍ରଚାର ପରେ ସେ ଲୋକଙ୍କ ସହ ଗରବା କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜଣାପଡ଼ିଛି। ସେ ରାଜକୋଟରେ ଆୟୋଜିତ ଏକ ଗରବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭଗୱନ୍ତ ମାନ୍ ମଞ୍ଚ ଉପରେ ଠିଆ ହୋଇ ଗରବା କରିବା ସହ ଲୋକଙ୍କୁ ମଧ୍ୟ କରିବା ପାଇଁ କହୁଥିବାର ଭାଇରାଲ ଭିଡିଓରେ ଦେଖାଯାଇଛି।
ଅନ୍ୟପକ୍ଷରେ ଗୁଜରାଟର ଭଦୋଦରାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢ଼ା ମଧ୍ୟ ଗରବା ନୃତ୍ୟ ପରିବେଷଣ କରିଥିବା ଦେଖାଯାଇଛି। ରାଘବ ଲୋକଙ୍କ ସହ ଗରବା ନାଚ କରୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି।