ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ଭାରତ ଯୋଡୋ ଯାତ୍ରା। ଏହି ଯାତ୍ରା କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏହାର ନେତୃତ୍ବ ନେଉଛନ୍ତି ରାହୁଲ ଗାନ୍ଧୀ। ତେବେ ଗତକାଲି ଏହି ଯାତ୍ରାରେ ସାମିଲ ହୋଇଛନ୍ତି ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସେ ରାହୁଲ ଗାନ୍ଧୀଙ୍କ ସହ କର୍ଣ୍ଣାଟକ ମାଣ୍ଡ୍ୟା ଜିଲ୍ଳାରେ ପଦଯାତ୍ରା କରିଛନ୍ତି । ଭାରତ ଯୋଡୋ ଯାତ୍ରାରେ ସୋନିଆ ସାମିଲ ହେବା ପରେ ଦଳୀୟ ନେତା ଓ କର୍ମୀଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

ପଦଯାତ୍ରାରେ ସୋନିଆ ସାମିଲ ହେବା କର୍ମୀଙ୍କ ମନୋବଳକୁ ବଢାଇଥିବା ବେଳେ ଆଜି ରାହୁଲଙ୍କ ସହ ଭାରତ ଯୋଡ ଯାତ୍ରାରେ ସାମିଲ ହେବେ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ । ପ୍ରିୟଙ୍କା ମହୀଶୂରରେ ପହଞ୍ଚି ସାରିଥିବା ବେଳେ ଆଜି ଭାରତ ଯୋଡ ଯାତ୍ରାରେ ସାମିଲ ହେବ । ଗତକାଲି ସୋନିଆ ଗାନ୍ଧୀ ପଦଯାତ୍ରା କରିବାବେଳେ କେତେକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ପଦଯାତ୍ରା ବେଳେ ରାହୁଲ ଗାନ୍ଧୀ, ମାଆ ସୋନିଆଙ୍କ ଜୋତାର ଫିତା ବାନ୍ଧି ଦେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭିଡିଓରେ ଦେଖାଯାଉଛି, ସୋନିଆ ପଦଯାତ୍ରା କରିବା ସମୟରେ ହଠାତ ତାଙ୍କ ଜୋତାର ଲେସ୍ ଖୋଲିଯାଇଛି । ଦଶହରାରେ ସ୍ଥାନୀୟ ମନ୍ଦିରରେ ପୂଜା କରିବା ପରେ ଗୁରୁବାର ପଦଯାତ୍ରାରେ ସାମିଲ ହୋଇଛନ୍ତିି । ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଆଦି ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରିଛନ୍ତି । ଏହାରି ଭିିତରେ ସେ ତାମିଲନାଡୁ, କେରଳ ଓ କର୍ଣ୍ଣାଟକର ପ୍ରାୟ ୭ଶହ କିଲୋମିଟର ପଦଯାତ୍ରା କରିସାରିଲେଣି ।