ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଛି। ଅଶାନ୍ତ ଅକ୍ଟୋବର ୧୭ରେ କଂଗ୍ରେସ ଅଧ୍ୟକ୍ଷ ପଦପାଇଁ ଭୋଟ ଗ୍ରହଣ ହେବ । ଦୀର୍ଘ ୨୫ ବର୍ଷ ପରେ ଦେଶର ସର୍ବପୁରାତନ ଜାତୀୟ ରାଜନୈତିକ ଦଳ କଂଗ୍ରେସକୁ ମିଳିବ ଅଣଗାନ୍ଧୀ ଅଧ୍ୟକ୍ଷ। ସେପଟେ ଏହି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ୨ ପ୍ରାର୍ଥୀ ନିଜର ପ୍ରଚାର ଆରମ୍ଭ କରିଛନ୍ତି। ଏହି କ୍ରମରେ ଆଜି ଗୁଜୁରାଟରୁ ନିଜର ପ୍ରଚାର ଅଭିଯାନ ଆରମ୍ଭ କରିବେ ବରିଷ୍ଠ ନେତା ତଥା ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡ୍ଗେ। ଆଜି ଗୁଜୁରାଟର କଂଗ୍ରେସ ନେତାଙ୍କୁ ଭେଟି ସେ ତାଙ୍କର ସମର୍ଥନ ଲୋଡିବେ । ଏଥିପାଇଁ ଖଡ୍ଗେ ଗୁରୁବାର ରାତିରେ ଅହମ୍ମଦାବାଦରେ ପହଞ୍ଚିଛନ୍ତି ।
ଅଧ୍ୟକ୍ଷ ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡ୍ଗେ ଆଜି ପ୍ରଥମେ ଗୁଜୁରାଟ ସ୍ଥିତ ସାବରମତି ଆଶ୍ରମ ପରିଦର୍ଶନ କରିବେ । ଏହାପରେ ଅହମ୍ମଦାବାଦ ସ୍ଥିତ ପ୍ରଦେଶ କଂଗ୍ରେସ କମିଟି ଅଫିସକୁ ଯିବେ । ସେଠାରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ତେବେ ସଭାପତି ପଦ ପାଇଁ ଖଡ୍ଗେଙ୍କ ବିପକ୍ଷରେ ସାଂସଦ ଶଶି ଥରୁର ନିର୍ବାଚନ ଲଢୁଛନ୍ତି ।
ସୂଚନା ଅନୁସାରେ, ଏଥର ଗାନ୍ଧୀ ପରିବାରରୁ କେହି ଅଧ୍ୟକ୍ଷ ହେବେ ନାହିଁ ବୋଲି ରାହୁଲ ସ୍ପଷ୍ଟ କରିବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସଭାପତି ପଦ ପାଇଁ ବଡ ଦାବିଦାର ହୋଇଥିଲେ । ହେଲେ ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ତାଙ୍କ ପାଇଁ ମହଙ୍ଗା ପଡିଲା ଏବଂ ସେ ସଭାପତି ରେସ୍ରୁ ଆଉଟ୍ ହେଲେ । ଏବେ ସାଂସଦ ଶଶି ଥରୁର ଏବଂ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଚାଲିଛି । ଆଜି ଗୁଜୁରାଟରୁ ଖଡ୍ଗେ ନିଜ ନିର୍ବାଚନୀ ପ୍ରଚାର ଆରମ୍ଭ କରିବାକୁ ଯାଉଥିବା ବେଳେ ପୂର୍ବରୁ ଶଶି ଥରୁର ମହାରାଷ୍ଟ୍ରର ନାଗପୁରରୁ ନିଜର ପ୍ରଚାର ଆରମ୍ଭ କରିସାରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଏହି ନିର୍ବାଚନ ପାଇଁ ସେପ୍ଟେମ୍ବର ୩୦ରେ ନାମାଙ୍କନ ଦାଖଲର ଶେଷ ତାରିଖ ଥିଲା । ଅକ୍ଟୋବର ୧୭ ରେ ଅଧ୍ୟକ୍ଷ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଅକ୍ଟୋବର ୧୯ ତାରିଖରେ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ।
