ଆଜି କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିବେ ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ମଲ୍ଲିକାର୍ଜୁନ ଖଡଗେ ଆଜି ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିବେ । ବର୍ତ୍ତମାନ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଥିବା ସୋନିଆ ଗାନ୍ଧୀଙ୍କ ସ୍ଥାନରେ ସେ ଦାୟିତ୍ୱ ଗ୍ରହଣ କରିବେ । ଅକ୍ଟୋବର ୧୯ ତାରିଖରେ ଅଧ୍ୟକ୍ଷ ନିର୍ବାଚନ ଫଳାଫଳରେ ଶଶୀ ଥରୁରଙ୍କୁ ହରାଇ ଖଡଗେ କଂଗ୍ରେସର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଥରୁରଙ୍କୁ ୬୮୨୫ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ ।

ଏହି ନିର୍ବାଚନରେ ଖଡଗେଙ୍କୁ ୭୮୯୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଥରୁରଙ୍କୁ ମାତ୍ର ୧୦୭୨ ଖଣ୍ଡ ଭୋଟ୍ ମିଳିଥିଲା । ତେବେ କଂଗ୍ରେସ ଅଧ୍ୟକ୍ଷ ପଦ ଦାୟିତ୍ୱ ଗ୍ରହଣ କରିବାପରେ ଖଡଗେଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ । ଗୋଟିଏ ପଟେ ରାଜସ୍ଥାନରେ ରାଜନୈତିକ ସଂକଟ ବଡ଼ ଆହ୍ୱାନ ସୃଷ୍ଟି କରିଥିବା ବେଳେ ଅନ୍ୟପଟେ ଗୁଜରାଟ ଓ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ମଧ୍ୟ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ଅନ୍ୟପକ୍ଷରେ ୨୦୨୪ ଲୋକସଭା ନିର୍ବାଚନ ତାଙ୍କ ପାଇଁ ସବୁଠାରୁ ବଡ଼ ଅଗ୍ନି ପରୀକ୍ଷା ହେବ । ଆସନ୍ତା ବର୍ଷ ମଧ୍ୟ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ ।ଯେଉଁଥିରେ ତାଙ୍କ ନିଜର ଗୃହ ରାଜ୍ୟ କର୍ଣ୍ଣାଟକ ମଧ୍ୟ ସାମିଲ୍ ଅଛି ।

ତେବେ ଆଜି ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଖଡଗେ ଦଳର ଅଧ୍ୟକ୍ଷ ପଦ ସମ୍ଭାଳିବେ । କର୍ଣ୍ଣାଟକର ଦଳିତ ସମ୍ପ୍ରଦାୟର ୮୦ ବର୍ଷୀୟ ଖଡଗେ ଅକ୍ଟୋବର ୧୭ ତାରିଖରେ ହୋଇଥିବା ଐତିହାସିକ ନିର୍ବାଚନରେ ନିଜ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶଶୀ ଥରୁରଙ୍କୁ ହରାଇଥିଲେ । ୧୩୭ ବର୍ଷର କଂଗ୍ରେସ ଇତିହାସରେ ଷଷ୍ଠଥର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା । ତେବେ ଦୀର୍ଘ ୨୪ ବର୍ଷ ପରେ ଜଣେ ଅଣଗାନ୍ଧୀ ବ୍ୟକ୍ତି କଂଗ୍ରେସର ଅଧ୍ୟକ୍ଷ ହୋଇଛନ୍ତି ।

Related Posts