
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜୁରାଟ ମୋରବିରେ ଝୁଲାପୋଲ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୪୧କୁ ବୃଦ୍ଧି ପାଇଥିବା ବେଳେ ଏହି ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି । ତେବେ ଅଘଟଣ ନେଇ ଅବ୍ୟବସ୍ଥାକୁ ଦାୟୀ କରିବା ସହ ନ୍ୟାୟିକ ତଦନ୍ତ ଦାବି କରିଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ବିଚାରପତିଙ୍କ ତତ୍ବାବଧାନରେ ଏହି ଘଟଣାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି । ସେହିପରି ଏହି ଘଟଣାରେ ପ୍ରଭାବିତଙ୍କୁ ସରକାର ତୁରନ୍ତ ଆର୍ଥିକ ଓ ଚିକିତ୍ସା ସହାୟତା ଯୋଗାଇବା ପାଇଁ ଦାବି କରିଛନ୍ତି ।
କଂଗ୍ରେସ ଅଧ୍ୟକ୍ଷ ଖଡଗେ ମୃତକଙ୍କ ପରିବାରରୁ ସମବେଦନା ଜଣାଇବା ସହ କହିଛନ୍ତି ଯେ, ମାତ୍ର ୫ ଦିନ ପୂର୍ବେ ଏହି ପୋଲ ସାଧାରଣ ଲୋକଙ୍କ ପାଇଁ ଖୋଲା ଯାଇଥିବା ବେଳେ, କାହିଁକି ଏତେ ସଂଖ୍ୟକ ଲୋକଙ୍କୁ ଏକକାଳୀନ ପୋଲରେ ପ୍ରବେଶ କରିବାକୁ ଅନୁମତି ଦିଆଗଲା । ଏହାର ତଦନ୍ତ କାରଯିବାର ଆବଶ୍ୟକତା ରହିଛି । ଦେଶର ସର୍ବୋଚ୍ଚ କୋର୍ଟ କିମ୍ବା ହାଇକୋର୍ଟର ବିଚାରପତିଙ୍କ ନେତୃତ୍ବରେ ଏହି ଘଟଣାର ନ୍ୟାୟିକ ତଦନ୍ତ କରିବା ନେଇ ସରକାର ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ କହିଛନ୍ତି।
ସୂଚନା ଅନୁସାରେ, ବ୍ରିଟିଶ ଅମଳରେ ନିର୍ମାଣ ହୋଇଥିବା ଏହି ପୁରାତନ ବ୍ରିଜ ମରାମତି ପାଇଁ ଗତ କିଛି ମାସ ଧରି ବନ୍ଦ ରହିଥିଲା । ତେବେ ମରାମତି ସରିବା ପରେ ଗତ ୫ ଦିନ ପୂର୍ବରୁ ଏହା ସାଧାରଣ ଲୋକଙ୍କ ପାଇଁ ଖୋଲା ଯାଇଥିଲା । ତେବେ ଗତକାଲି ସଂଧ୍ୟାରେ ପୋଲରେ ମାତ୍ରାଧିକ ଭିଡ ଦେଖିବାକୁ ମିଳିଥିଲା । ପୋଲ ଉପରେ ଏକକାଳୀନ ପ୍ରାୟ ୪ଶହ ଯାତ୍ରୀ ଚଢିଥିବା ବେଳେ ପୋଲଟି ଭୁଶୁଡି ପଡିଥିଲା । ଶତାଧିକ ଲୋକ ନଦୀଗର୍ଭକୁ ଖସି ପଡିଥିଲେ । ଉଦ୍ଧାର ପାଇଁ ଚିତ୍କାର ମଧ୍ୟ କରୁଥିବାର ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଥିଲା । ଖବର ପାଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର ଅପରେସନ ଆରମ୍ଭ କରାଯାଇଥିଲେ ସୁଦ୍ଧା ସମସ୍ତଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇନଥିଲା । ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୧୪୧ ହୋଇଥିଲା ବେଳେ ଅନ୍ୟ କିଛି ଆହତ ମଧ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଗତକାଲି (ରବିବାର) ସଂଧ୍ୟା ପ୍ରାୟ ସାଢେ ୬ଟା ବେଳେ ଏହି ଅଘଟଣ ଘଟିଛି । ପୋଲ ଉପରେ ପ୍ରାୟ ଶତାଧିକ ଲୋକ ଥିବା ବେଳେ ପୋଲଟି ଖସିପଡିଥିଲା । ଖବର ସମ୍ପର୍କରେ ଜଣାପଡିବାର ମାତ୍ର ୧୫ ମିନିଟ ମଧ୍ୟରେ ସ୍ଥାନୀୟ ଅଗ୍ନିଶମ ବାହିନୀ, ଜିଲ୍ଲାପାଳ, ଜିଲ୍ଲା ଏସ.ପି, ଡାକ୍ତର, ଆମ୍ବୁଲାନ୍ସ ଟିମ ଘଟଣାସ୍ଥଳରେ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ । ତେବେ ବହୁଲୋକ ପାଣିରେ ବୁଡିଯାଇ ନିଖୋଜ ହୋଇଯାଇଥିଲେ । ସେମାନଙ୍କୁ ଠାବ କରି ଉଦ୍ଧାର କରିବା ପାଇଁ ପ୍ରକ୍ରିୟା ଜାରି ରିହଥିଲେ ସୁଦ୍ଧା ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି । ସପ୍ତାହକ ତଳେ ପୋଲ ମରାମତି ହୋଇଥିଲା । କ୍ଷମତା ଠାରୁ ଅଧିକ ଲୋକ ପୋଲରେ ଥିବାରୁ ଏହି ଅଘଟଣ ଘଟିିଥିବା ସନ୍ଦେହ କରାଯାଉଛି । ପୋଲର କ୍ଷମତା ମାତ୍ର ୧୦୦ ଥିବା ବେଳେ ସେଥିରେ ପାଖାପାଖି ୪୦୦ ଲୋକ ଜମା ହୋଇଥିବା ନେଇ କୁହାଯାଉଛି ।