ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ କର୍ଣ୍ଣାଟକରେ ପହଞ୍ଚିଛି। ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ବିଭିନ୍ନ ଶ୍ରେଣୀର ଲୋକଙ୍କୁ ଭେଟୁଥିବା ଦେଖିବାକୁ ମିଳୁଛି । ଏହାସହ ସେ ଦେଶେ ବିଭିନ୍ନ ପ୍ରସଙ୍ଗକୁ ଉଠାଉଥିବା ମଧ୍ୟ ଦେଖାଯାଇଛି । ଏହି କ୍ରମରେ ରାହୁଲ ଶୁକ୍ରବାର ଏକ ଟୁଇଟ କରି ଜଣାଇଛନ୍ତି, ଯେ ସେ ଗୁରୁବାର ଜଣେ ମହିଳାଙ୍କୁ ଭେଟିଥିଲେ। ସେହି ମହିଳା ଜଣଙ୍କର ସ୍ବାମୀ ଜଣେ କୃଷକ ହୋଇଥିବା ବେଳେ ନିକଟରେ ତାଙ୍କ ଉପରେ ୫୦,୦୦୦ ଟଙ୍କା କରଜ ଥିବାରୁ ସେ ଏହାକୁ ପରିଶୋଧ କରି ନପାରି ଆତ୍ମହତ୍ୟା କରିଛନ୍ତି।

ତେବେ ଏହି ପ୍ରସଙ୍ଗରେ ଟୁଇଟ କରି ରାହୁଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହିତ ଦୁଇଟି ଭାରତ କଥା ଉଠାଇଛନ୍ତି। ସେ କହିଛନ୍ତି ଯେ, ଗୋଟିଏ ଭାରତ ଯେଉଁଠି ପୁଞ୍ଜିପତି ମିତ୍ରଙ୍କୁ ୬ ପ୍ରତିଶତ ସୁଧହାର ହିସାବରେ ଋଣ ଓ କୋଟି କୋଟି ଟଙ୍କାର ଋଣ ଛାଡ କରାଯାଉଛି। ଅନ୍ୟପଟେ ଆଉ ଏକ ଭାରତ, ଯେଉଁଠି ଅନ୍ନଦାତାଙ୍କୁ ୨୪ ପ୍ରତିଶତ ସୁଧହାରରେ ଋଣ ଦିଆଯାଉଛି ଓ ସେମାନଙ୍କ ଜୀବନ କଷ୍ଟରେ କଟୁଛି । ରାହୁଲ ଆହୁରି କହିଛନ୍ତି ଯେ, ଗୋଟିଏ ଦେଶରେ ଏହି ‘ଦୁଇ ଭାରତ’ ସ୍ୱୀକାର କରାଯିବ ନାହିଁ ।

ସୂଚନାଯୋଗ୍ୟ ଯେ, କଂଗ୍ରେସର ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ବେକାରୀ ଯୁବକ ଓ ଗରିବ ଶ୍ରେଣୀର ଲୋକଙ୍କୁ ଭେଟୁଛନ୍ତି । ଗୋଟିଏ ଦିନ ପୂର୍ବରୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଏହି ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇ କର୍ମୀଙ୍କ ମନୋବଳ ବଢାଇଛନ୍ତି ।