ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀର ସିବିଆଇ ମୁଖ୍ୟାଳୟରେ ମେଘାଳୟର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଆଜି ସିବିଆଇ ପଚରାଉଚରା କରିଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ନିକଟରେ ସେ ମେଘାଳୟର ରାଜ୍ୟପାଳ ପଦରୁ ଅବସର ନେଇଥିଲେ। ତେବେ ରାଜ୍ୟପାଳ ପଦବୀ ଯିବା ପରେ ସତ୍ୟପାଲ ମଲିକଙ୍କୁ ସିବିଆଇ ପଚରା ଉଚରା କରିବା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହେଇଛି।
ତେବେ ସେ ଜମ୍ମୁ-କଶ୍ମୀରର ରାଜ୍ୟପାଳ ଥିବାବେଳେ ଦୁଇଟି ଫାଇଲ ମଞ୍ଜୁରୀ ଦେବା ପାଇଁ ତାଙ୍କୁ ୩୦୦ କୋଟି ଟଙ୍କା ଲାଞ୍ଚ ଯଚା ଯାଇଥିବା ଅଭିଯୋଗ ହୋଇଥିଲା।ଏହାପୂର୍ବରୁ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଲାଞ୍ଚ ଯଚା ଯାଇଥିବା ଅଭିଯୋଗରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି ତଦନ୍ତକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି।
ତେବେ ଜମ୍ମୁ-କଶ୍ମୀରର ରାଜ୍ୟପାଳ ଥିବାବେଳେ ତାଙ୍କୁ ଲାଞ୍ଚ ଯଚା ଯାଇଥିବା ନେଇ ନିଜ ସତ୍ୟପାଲ ମଲିକ ମଧ୍ୟ ସ୍ବୀକାର କରିଥିଲେ । ଅମ୍ବାନୀ ଏବଂ ଆରଏସଏସ ସହ ଜଡିତ ବ୍ୟକ୍ତିଙ୍କ’ ଦୁଇଟି ଫାଇଲ ମଞ୍ଜୁରୀ କରିବା ବଦଳରେ ତାଙ୍କୁ ଏହି ଅଫର ଦିଆଯାଉଥିଲା, କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ବୋଲି ସତ୍ୟପାଲ ମଲିକ କହିଥିଲେ। ଏହା ସହିତ ସେସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ସେହି ସମୟରେ ପ୍ରଧାନମନ୍ତ୍ରୀ ତାଙ୍କୁ ଦୁର୍ନୀତି ସହ ସାଲିସ ନକରିବାକୁ କହିଥିଲେ। ସିବିଆଇର ଏହି ଦାବିକୁ ଯାଞ୍ଚ କରିବା ପାଇଁ ଜମ୍ମୁ-କଶ୍ମୀର ପ୍ରଶାସନ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲା। ଯାହାକୁ ବର୍ତ୍ତମାନ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଏହି କ୍ରମରେ ଆଜି ସତ୍ୟପାଲ ମଲିକଙ୍କୁ ପଚରା ଉଚରା କରାଯାଇଥିବା ସୂଚନା ମିଳିଛି।
