
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ କେନ୍ଦ୍ରର ବିଜେପି ସରକାରଙ୍କ ନୀତିକୁ ଲଗାତାର ବିରୋଧ କରୁଥିବା ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ ନିଜ ପଦରୁ ନିକଟରେ ଅବସର ନେଇଛନ୍ତି। ଏହାପରେ ସତ୍ୟପାଲ ମଲିକ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ ଆଗାମୀ ନିର୍ବାଚନରେ ସମାଜବାଦୀ ପାର୍ଟି (ଏସପି) ଏବଂ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) କୁ ସାହାଯ୍ୟ କରିବେ। ତେବେ ସେ କୌଣସି ରାଜନୈତିକ ଦଳରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
ବୁଧବାର ସତ୍ୟପାଲ ନିଜ ଗାଁ ହିସାୱାଡା ଠାରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଏକ ଉତ୍ସବରେ ଯୋଗ ଦେଇଥିଲେ। ଏହି ଅବସରରେ ପୂର୍ବ ଅପେକ୍ଷା କେନ୍ଦ୍ର ସରକାରଙ୍କ ଉପରେ ଅଧିକ ଆକ୍ରମଣାତ୍ମକ ହୋଇଥିବା ମଲିକ କହିଛନ୍ତି ଯେ, ଏହି ସରକାର କୃଷକ ବିରୋଧୀ ଅଟେ । ନିଜର ଭବିଷ୍ୟତ ଯୋଜନା ସମ୍ପର୍କରେ ମଲିକ କହିଛନ୍ତି ଯେ, ମୁଁ କୌଣସି ରାଜନୈତିକ ଦଳରେ ଯୋଗଦେବି ନାହିଁ କିମ୍ବା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ। କିନ୍ତୁ ମୁଁ ନିଶ୍ଚିତ ଭାବେ କୃଷକଙ୍କ ପାଇଁ ଲଢ଼େଇ କରିବି। ଏହି ସଂଗ୍ରାମରେ, ଚୌଧୁରୀ ଚରଣ ସିଂଙ୍କ ନାତି ଜୟନ୍ତ ସିଂ ଏବଂ ମୁଲାୟମ ସିଂ ଯାଦବଙ୍କ ପୁତ୍ର ଅଖିଳେଶ ଯାଦବଙ୍କୁ ସାହାଯ୍ୟ କରିବି। ରାଜ୍ୟପାଳ ଭାବରେ ତାଙ୍କର ଅଭିଜ୍ଞତା ବଖାଣିି ପୂର୍ବତନ ରାଜ୍ୟପାଳ ମଲିକ କହିଛନ୍ତି ଯେ, ସେ ଏହି ପଦରେ ରହିଥିବା ବେଳେ ସମ୍ପୂର୍ଣ୍ଣ ସଚ୍ଚୋଟତା ସହ କାର୍ଯ୍ୟ କରିଛନ୍ତି।
ତେବେ ନିଜ ପଦରୁ ଅବସର ନେବା ପରେ ମୋଦି ସରକାର ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆଶଙ୍କାକୁ ସେ ଏଡ଼ାଇ ଦେଇନାହାଁନ୍ତି। ଏନେଇ ମଲିକ କହିଛନ୍ତି ଯେ, ସେମାନେ ମୋ ବିରୋଧରେ ମଧ୍ୟ କିଛି କରି ପାରନ୍ତି। ଜମ୍ମୁ-କଶ୍ମୀରର ସମସ୍ତ ଫାଇଲ ଯାଞ୍ଚକର କିମ୍ବା ଖୋଜ, କିନ୍ତୁ ମୋ ବିରୋଧରେ କୌଣସି ତଥ୍ୟ ବାହାରିବ ନାହିଁ। ମୁଁ ଜଣେ ଫକୀର ବ୍ୟକ୍ତି। ୫ଟି କୁର୍ତ୍ତା ସହିତ ରାଜ୍ୟପାଳ ଭବନ ଯାଇଥିଲି ଆଉ ସେହି ୫ଟି କୁର୍ତ୍ତା ସହିତ ଫେରି ଆସିଛି। ତେଣୁ ମୋ ବିରୋଧରେ ଯେତେ ଯାଞ୍ଚ କରିବା କଥା କରନ୍ତୁ ମୋ ବିରୋଧରେ କିଛି ପାଇବେ ନାହିଁ ବୋଲି ସେ ଦୃଢତାର ସହ କହିଛନ୍ତି। ସେପଟେ ଦେଶର ସମସ୍ୟା ସମ୍ପର୍କରେ ସେ କହିଛନ୍ତି ଯେ, ମୁଦ୍ରାସ୍ଫୀତି ଏବଂ ବେକାରୀ କାରଣରୁ ଲୋକମାନେ ପୂର୍ବରୁ ଅନେକ ଅସୁବିଧାରେ ଅଛନ୍ତି। କୃଷକମାନେ ଆଖୁ ବକେୟା ପାଉନାହାଁନ୍ତି ଏବଂ ଏହାର ମୂଲ୍ୟ ମଧ୍ୟ ବୃଦ୍ଧି ହେଉନାହିଁ। ବର୍ତ୍ତମାନ ଅଗ୍ନିବୀର ଯୋଜନା ଅଣାଯାଇ କୃଷକଙ୍କ ପିଲାମାନଙ୍କର ଭବିଷ୍ୟତ ମଧ୍ୟ ନଷ୍ଟ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।