
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଥା ରଖିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ବୁଲିଲେ ଟପ୍ପର । ଦଶମ ଓ ଦ୍ଵାଦଶ ଶ୍ରେଣୀର ଟପ୍ପରମାନଙ୍କୁ ହେଲିକପ୍ଟରରେ ବୁଲାଇଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ । ୧୨୫ ଜଣ ପିଲାଙ୍କୁ ରାୟପୁରର ପୁଲିସ ପ୍ୟାରେଡ ପଡ଼ିଆରେ ପର୍ଯ୍ୟାୟକ୍ରମେ ହେଲିକପ୍ଟରରେ ବୁଲାଯାଇଥିଲା । ହେଲିକପ୍ଟରଟି ୭ ସିଟ୍ ବିଶିଷ୍ଟ ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ପିଲାମାନେ ଏହି ହେଲିକପ୍ଟରରେ ବୁଲିଥିଲେ । ଏହି ସମୟରେ ଛତିଶଗଡ଼ର ଗଣଶିକ୍ଷାମନ୍ତ୍ରୀ ପ୍ରେମସାୟ ସିଂ ଓ ଗଣଶିକ୍ଷା ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ପିଲାଙ୍କୁ ଉତ୍ସାହିତ କରିଥିଲେ ।
ତେବେ ସୂଚନା ଅନୁସାରେ, ଗତ ମେ’ ମାସ ୫ ତାରିଖରେ ପିଲା ମାନଙ୍କୁ ଉଦବୋଧନ ଦେବା ସମୟରେ ଦଶମ ଓ ଦ୍ବାଦଶ ଶ୍ରେଣୀର ଟପ୍ପର ମାନଙ୍କୁ ନିଜ ହେଲିକପ୍ଟରରେ ବସାଇ ବୁଲାଇବାକୁ ଘୋଷଣା କରିଥିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଦଶମ ଓ ଦ୍ବାଦଶ ଶ୍ରେଣୀର ଟପ୍ପର ମାନଙ୍କୁ ଆଜି ହେଲିକପ୍ଟରରେ ବୁଲାଯାଇଥିଲା। ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦଶମ ଶ୍ରେଣୀର ୧୧୦ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୩୫ ଜଣ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ହେଲିପକ୍ଟରରେ ପିଲାମାନେ ବୁଲି ବେଶ ଖୁସିଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ।